ଦେଶର ଦୀର୍ଘତମ ବ୍ରିଜ୍‌ ‘ଅଟଳ ସେତୁ’ର ହେବ ଲୋକାର୍ପଣ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ସବୁଠୁ ଲମ୍ବା ସେତୁର ଉଦ୍‌ଘାଟନ କରିବେ । ଆଜି ଦିନ ସାଢେ ୩ଟାରେ ଦେଶବସୀଙ୍କ ପାଇଁ ଏହାକୁ ଉନ୍ମୋଚନ କରିବେ ମୋଦି । ୨୧.୮ କିଲୋମିଟର ବିଶିଷ୍ଟ ଏହି ସେତୁର ନାମ ‘ଅଟଳ ସେତୁ’ ରଖାଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ପ୍ରମୁଖ ସାମିଲ ହେବେ । ଅଟଳ ସେତୁ ଉପରେ ଚଳାଚଳ କରିବାକୁ ଥିବା ଗାଡ଼ିଗୁଡ଼ିକ ପାଇଁ ଆଜି ଗାଇଡଲାଇନ ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ ଚାରି ଚକିଆ, ମିନି ବସ୍‌ ଏବଂ ଟୁ-ଏକ୍ସେଲ୍‌ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ । ବ୍ରିଜ୍ ଉପରକୁ ଗାଡ଼ି ଉଠିବା ଏବଂ ଗଡ଼ିବା ବେଳେ ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ହେବନାହିଁ । ମୋଟର ସାଇକେଲ, ମୋପେଡ୍‌, ତିନିଚକିଆ ଗାଡ଼ି, ଅଟୋରିକ୍ସା ଏବଂ ଟ୍ରାକ୍ଟର ଏହି ସେତୁ ଉପରେ ଚଳାଚଳ କରିପାରିବେ ନାହିଁ । ଟ୍ରକ୍‌, ବସ୍‌ ଏବଂ ଭାରି ଯାନଗୁଡ଼ିକୁ ମୁମ୍ବାଇ ଅଭିମୁଖେ ଯିବା ନିମନ୍ତେ ଇଷ୍ଟର୍ଣ୍ଣ-ଫ୍ରି-ୱେରେ ପ୍ରବେଶ ଅନୁମତି ମିଳିବ ନାହିଁ । ଏହି ବାହନଗୁଡ଼ିକୁ ମୁମ୍ବାଇରେ ପ୍ରବେଶ ନିମନ୍ତେ ମୁମ୍ବାଇ ପୋର୍ଟ ସେୱଡି ଏକ୍‌ଜିଟ୍‌ର ଉପଯୋଗ କରିବାକୁ ହେବ । ମୁମ୍ବାଇ ମହାନଗର ପ୍ରଦେଶ ବିକାଶ ପ୍ରାଧିକରଣ ଏହି ସେତୁ ନିମନ୍ତେ ୫୦୦ ଟଙ୍କାର ଟୋଲ୍‌ ଶୁଳ୍କ ଧାର୍ଯ୍ୟ କରିଥିଲା । ଏହାପରେ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ଗତ ୪ ତାରିଖ ବୈଠକରେ ଶୁଳ୍କକୁ ଅଧା କମାଇ ଦେଇଛି । ସେତୁ ଉପରେ ଚାଲିଲେ ମଧ୍ୟ ୨୫୦ ଟଙ୍କା ଗଣିବାକୁ ପଡ଼ିବ । ଅଟଳ ସେତୁ ୬ ଲେନବିଶିଷ୍ଟ । ଏହାର ଅର୍ଥ ଉଭୟ ପଟେ ୩ଟି ଲେଖାଏଁ ଲେନ୍‌ରେ ଗାଡ଼ି ଚଳାଚଳ କରିବ । ଉଭୟ ପଟେ ଗୋଟିଏ ଲେଖାଏଁ ଏମର୍ଜେନ୍ସି ଲେନ୍‌ ବି ରହିଛି । ସମୁଦ୍ର ଉପରେ ସେତୁର ୧୬.୫ କିମି ଓ ଭୂମି ଉପରେ ୫.୫ କିମି ନିର୍ମାଣ ହୋଇଛି । ସେତୁ ନିର୍ମାଣରେ ମୋଟ ୧୭ ହଜାର ୮୪୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେତୁରେ ୪୦୦ ସିସିଟିଭି କ୍ୟାମେରା ଲାଗିଛି । ପ୍ରତିଦିନ ଏହା ଉପରେ ୭୦ ହଜାର ଗାଡ଼ି ଚଳାଚଳ କରିବ ।

Leave A Reply

Your email address will not be published.

twenty − one =

error: Content is protected !!