ସାମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ରାଜୀବ ଭବନଠାରେ ଗଣମାଧ୍ୟମର ଉପସ୍ଥିତ ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଘୁର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ଅବପାତରୁ ତୀବ୍ର ଅବପାତ ଓ ବାତ୍ୟା ହେବ କି ନାହିଁ ଆଜି ସନ୍ଧ୍ୟାବେଳକୁ ଏହ ସ୍ପଷ୍ଟ ହୋଇଯିବ । ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ୧୮ଟି ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଆଲୋଚନା କରିଛନ୍ତି । ଏନ୍‌ଡିଆର୍‌ଏଫ, ଓଡ୍ରାଫ, ରାଜ୍ୟ ଅଗ୍ନିଶମ ସେବାର ଅଧିକାରୀମାନଙ୍କ ସହିତ ଆଗୁଆ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ମୁତୟନ କରାଯିବ । ଶକ୍ତି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ନିରନ୍ତର ବିଦ୍ୟୁତ ଶକ୍ତି ଯୋଗାଣ ଓ ପାନୀୟ ଜଳ ଯୋଗାଇ ଦେବା ନେଇ ଆଲୋଚନା ହୋଇଛି । ଆଜି ଟେଲିକମ୍‌ ସେବା ଯୋଗାଣକାରୀମାନଙ୍କ ସହିତ ଆଲୋଚନା କରାଯିବ । ଲୋକମାନଙ୍କ ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଡର ପଶିଥିବା ବେଳେ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଛି । ଖରାଦିନିଆ ବାତ୍ୟାର ପ୍ରାୟତଃ ବିଶେଷ ପ୍ରଭାବ ପଡେ ନାହିଁ । ମାର୍କେଟରେ ସମସ୍ତ ଜିନିଷ ମହଜୁଦ୍‌ ଅଛି । କୃତ୍ରିମ ଅଭାବ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ । ଆମେମାନେ ବାତ୍ୟାକୁ ନେଇ ସତର୍କ ରହିବା ଏବଂ କୌଣସି ପରିସ୍ଥିତିରେ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.