ପାହାଡଶ୍ରୀଗିଡ଼ା ଆଞ୍ଚଳିକ ଡିଗ୍ରୀ କଲେଜରେ ବିକାଶ ହସ୍ପିଟାଲ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରୀଗିଡ଼ା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଓ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପକ୍ଷରୁ ମିଳିତ ଭାବରେ ମହାବିଦ୍ୟାଳୟ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ବିକାଶ ଗ୍ରୁପର ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା ଓ ଅତାବିରା ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ ମିଳିତ ଭାବରେ ଉଦ୍‌ଘାଟନ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରରେ ଗତକାଲି ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପକ୍ଷରୁ ମାଗଣାରେ ଡାକ୍ତରୀ ସେବା ସାଙ୍ଗକୁ, ଇସିଜି, ମଧୁମେହ ପରୀକ୍ଷା, ଶରୀର ଭିତର ବିଭିନ୍ନ ପରିସଂଖ୍ୟାନ ପରୀକ୍ଷା, ମୂତ୍ର ପରୀକ୍ଷା, ହିମୋଗ୍ଲୋବିନ ପରୀକ୍ଷା, ଫୁସ୍‌ଫୁସ୍ ପରିଚାଳନା ଜନିତ ପରୀକ୍ଷା ଯୋଗାଇ ଦିଆଯାଇଥିଲା । ଏହି ଶିବରକୁ ଉଦ୍‌ଘାଟନ କରି ବିକାଶ ଗ୍ରୁପ ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା କହିଥିଲେ ଯେ ଏଭଳି ଶିବିର ଦ୍ଵାରା ଜନ ସାଧାରଣ ଅଭିଜ୍ଞ ଡାକ୍ତରଙ୍କୁ ହାତ ପାହାନ୍ତାରେ ପାଇବା ସହ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ତାର ସମାଧାନର ବାଟ ପାଇପାରିବେ । ବିଶେଷ କରି ଗ୍ରାମାଞ୍ଚଳରେ ଜନ ସାଧାରଣ ରାଜ୍ୟ ସରକାର ଯୋଗାଇ ଦେଉଥିବା ବିଜୁ ସ୍ବାସ୍ଥ୍ୟ କାର୍ଡରେ କିଭଳି ସୁବିଧା ରହିଛି ଏବଂ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କିଭଳି ମାଗଣାରେ ତାର ସୁବିଧା ନେଇ ପାରିବେ ତାହା ହିଁ ଏହି ଶିବିରର ମୂଳ ଲକ୍ଷ ଅଟେ । ଏହି ଶିବିରରେ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍‌ର ଛାତି ଓ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ଡାକ୍ତର ଏନ. ଶ୍ରୀନିବାସ, କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ସୁଧାଂଶୁ ଶେଖର ଭୋଇ, ଭେଷଜ (ମେଡିସିନ) ବିଶେଷଜ୍ଞ ଡାକ୍ତର ଅନୀଲ କୁମାର ସାହୁ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିସ୍ମୟ କୁମାର ଷଡଙ୍ଗୀ, ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରକାନ୍ତ ନାୟକ, ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଇପ୍ସିତା ଦେବତା, ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଶ୍ୱେତା ପଟ୍ଟନାୟକ ଓ ପାହାଡଶ୍ରିଗିଡା ସି.ଏଚ୍‌.ସିର ଡାକ୍ତର ଆର୍‌ଏସ୍‌ ନବୀନ କୁମାର ପ୍ରମୁଖ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ଦେଇଥିଲେ । ଶିବିର ପରିଚାଳନାରେ ବିକାଶ ହସ୍ପିଟାଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ସି୍‌ଏଚ୍ ରବି କୁମାର, ମାର୍କେଟିଂ ମ୍ୟାନେଜର ସବ୍ୟସାଚୀ ରୟ, ମହାବିଦ୍ୟାଳୟ ଅଧ୍ୟାପକ ଜଗନ୍ନାଥ ପ୍ରଧାନ, ରମାକାନ୍ତ ପ୍ରଧାନ, ବୁଦ୍ଧଦେବ ନନ୍ଦ, କପିଳାସ ଗୁପ୍ତା, ବିନୟ ଶର୍ମା, ମଣ୍ଟୁ ସାହୁ, ଦୀପକ ମାଝୀ, କେଦାର ମେହେର, ସରୋଜ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାହାଡଶ୍ରୀଗିଡା ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, ଟାଙ୍ଗରପାଲି ସରପଞ୍ଚ ରୋହିଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ଆଜି ଭେଷଜ ବିଭାଗରେ ୧୭୮ ଜଣ, ଅସ୍ଥି ଶଲ୍ୟ ବିଭାଗରେ ୯୬ ଜଣ, ଚର୍ମ ରୋଗ ବିଭାଗରେ ୮୩ ଜଣ, ଦନ୍ତ ବିଭାଗରେ ୨୨ ଜଣ, କିଡନୀ ବିଭାଗରେ ୬୧ ଜଣ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୬ ଜଣ, ଛାତି ଓ ଫୁସ୍ ଫୁସ୍ ବିଭାଗରେ ୬୩ ଜଣଙ୍କ ସମେତ ମୋଟ ୫୨୯ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ପରିକ୍ଷିତ ହୋଇଥିବା ସମସ୍ତ ଜନ ସାଧାରଣଙ୍କୁ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପକ୍ଷରୁ ଗୋଟିଏ ଥର ମାଗଣା ଡାକ୍ତର ପରାମର୍ଶ, ୩୦ ମଇ ଭିତରେ ସମସ୍ତ ଇନଭେଷ୍ଟିଗେସନରେ ୩୦ ପ୍ରତିଶତ ରିହାତି, ବିଜୁ ସ୍ବାସ୍ଥ୍ୟ କାର୍ଡ ଧାରକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.