ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ସମୀକ୍ଷା କଲେ ନରସିଂହ

  • ଦୁର୍ନୀତିର ମୂଳୋତ୍ପାଟନ ସାଙ୍ଗକୁ କୃଷି, ପାନୀୟ ଜଳ, ବନ୍ଧକଟାର ଉନ୍ନତି ଓ ଶିକ୍ଷା ଉପରେ ଗୁରୁତ୍ୱ
  • ବିକାଶ ପ୍ରକଳ୍ପରେ ଦୁର୍ନିତି ଓ ଦୁର୍ନିତିଗ୍ରସ୍ତଙ୍କୁ ବରଦାସ୍ତ କରାଯିବ ନାହିଁ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢ ବର୍ଷ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ବସିଛି । ଦୁଃଖର ବିଷୟ ଶେଷ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରାଯାଇଛି କି ନାହିଁ ଅଧିକାରୀମାନେ ସ୍ପଷ୍ଟ ଭାବରେ କହିପାରୁନାହାନ୍ତି । ଏଥିରୁ ପ୍ରମାଣ ହେଉଛି ଗତ ବୈଠକରେ ଆଲୋଚନା ହୋଇ ନିଆଯାଇଥିବା ନିଷ୍ପତ୍ତି ଗୁଡିକୁ ଅଣଦେଖା କରାଯାଇଛି । ଅନେକ ଦୁର୍ନୀତି ଅନୁସନ୍ଧାନ ତଥା କାର୍ଯ୍ୟନୁଷ୍ଠାନ ପାଇଁ ଅଧିକାରୀମାନେ ଉତ୍ସାହ ନ ଦେଖାଇବା ଅତି ଦୁର୍ଭାଗ୍ୟଜନକ ତେଣୁ ମୋର ଅନୁରୋଧ ଯେତେ ଶୀଘ୍ର ହେବ ନିଷ୍ପତ୍ତି ହୋଇଥିବା ଦୁର୍ନୀତି ଓ ସେଥିରେ ସାମିଲ ଥିବା ଜନପ୍ରତିନିଧି ହୁଅନ୍ତୁ କି ଅଧିକାରୀ ହୁଅନ୍ତୁ ତାଙ୍କୁ କୌଣସି ପ୍ରକାରେ ମଧ୍ୟ ବରଦାସ୍ତ ନ କରି ତାଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନିଜ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଅଧିକାରୀଙ୍କୁ କହିଛନ୍ତି । ଦିନ ୧୦ଟାରେ ବିଧାୟକ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରି ଏବଂ ଅତିରିକ୍ତ ପୋଲିସ ଅଧିକ୍ଷକ ମଞ୍ଚାସୀନ ଥିଲେ । ବୈଠକରେ ଲକ୍ଷ୍ମୀଯୋର ସୌନ୍ଦର୍ଯିକରଣ କାମ ପାଇଁ ଦରକାର ହେଉଥିବା କିଛି ଭୂମି ଅଧିଗ୍ରହଣକୁ ଆଖି ଆଗରେ ରଖି ସୌନ୍ଦର୍ଯିକରଣ କାମ ଯୋଜନା ପ୍ରସ୍ତୁତ ପାଇଁ ଉପସ୍ଥିତ ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମହାରାଣୀ ସାଗର, ରାଣୀବନ୍ଧର ସୌନ୍ଦର୍ଯିକରଣ କାମ କାହିଁକି କାମ ଆରମ୍ଭ ହେଉନାହିଁ ବୋଲି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । କରଙ୍ଗାକଟା କାମ ଆରମ୍ଭ ହୋଇସାରିଛି । ବହୁ ଶୀଘ୍ର ରାଣୀବନ୍ଧ କାମ ଆରମ୍ଭ ହେବ ଏବଂ ମହାରାଣୀ ସାଗର ପାଇଁ ନିଯୁକ୍ତି ହୋଇଥିବା ଏଜେନ୍ସି ଏନ୍‌ବିସିସି ସହିତ ତହସିଲ ଏବଂ ମ୍ୟୁନିସିପାଲିଟି ଅଧିକାରୀ ମହାରାଣୀ ସାଗର ଅଂଚଳକୁ ଯାଇ ଲେଆଉଟ କାମ ଶୀଘ୍ର ଆରମ୍ଭ କରନ୍ତୁ ବୋଲି ଉପସ୍ଥିତ ଜିଲ୍ଲାପାଳ ଅଧିକାରୀଙ୍କୁ କହିଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଟେଙ୍କର ଯୋଗେ ପିଇବା ପାଣି ଯୋଗାଣରେ ଏକ ସବିଶେଷ ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ବିସ୍ତାପିତଙ୍କ ପାଇଁ ନିର୍ମାଣ ହେଉଥିବା ବାସଗୃହ ମାନଙ୍କରେ ପିଇବା ପାଣି ପାଇପ ସଂଯୋଗକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସହର ଚାରିକଡରେ ଚାଲିଥିବା ରିଂରୋଡ ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି । ଆଗାମୀ ୩ ମାସ ଭିତରେ ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ନିର୍ବାହୀଯନ୍ତ୍ରୀ ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ । ଏନ୍‌ଏଚ୍‌ ତରଫରୁ ବ୍ଲେକସ୍ପଷ୍ଟ ଘୋଷଣା କରାଯାଇଥିବା ଦେଓଗାଁ ଛକରେ ଥିବା ଅନାଧିକାର ନିର୍ମାଣକୁ ହଟାଇ ରାସ୍ତା ପ୍ରଶସ୍ତିକରଣ କରାଯିବା ଉପରେ ପଦକ୍ଷେପ ନେବାକୁ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ସହରରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ସୁରକ୍ଷା ଦିଗରେ ବିଶେଷ ଧ୍ୟାନ ଦେବା ସହ ରାମଚନ୍ଦ୍ରପୁର, ଅର୍ଜୁନପୁର ଠାରେ ଆଉଟପୋର୍ଟ ଏବଂ ସହରର ମଧ୍ୟରେ ଆଉ ଗୋଟିଏ ଟାଉନ ଥାନା ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଛି ବୋଲି ଜିଲ୍ଲାପାଳ ଜଣାଇଥିଲେ । ଲୋଇସିଂହା ବ୍ଲକ ଅନ୍ତର୍ଗତ ଜଟିପାଲି ସ୍କୁଲକୁ ପୁଣି ଚାଲୁ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଜିଲ୍ଲା ଅଧିକାରୀଙ୍କୁ ସରକାରଙ୍କ ପାଖକୁ ଚିଠି ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁଦପଡା ଛକଠାରେ ବିପଦପୂର୍ଣ୍ଣ ଭାବରେ ଥିବା ପ୍ରାଥମିକ ସ୍କୁଲ ନୂଆ ଜାଗା ଚିହ୍ନଟ କରିବାକୁ ବିଧାୟକ ଶ୍ରୀ ମିଶ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ବେଳେ ଡାକ୍ତର ସମସ୍ୟା, ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା । ଫରେଷ୍ଟ ପାର୍କର ସୌନ୍ଦର୍ଯିକରଣ, ମୁଖ୍ୟରାସ୍ତାରୁ ପାର୍କ ମଧ୍ୟକୁ ଏକ ପୋଲ ନିର୍ମାଣ ତଥା ବିଜାଖମନ ଠାରେ ଏକ ଇକୋ ପାର୍କ ତିଆରି ପାଇଁ ଗତ ବୈଠକରେ ଏକ ନିଷ୍ପତ୍ତି ଉପରେ ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଦୁର୍ନୀତି ବିଷୟରେ ଆଲୋଚନା ବେଳେ ଚୁଡାପାଲି ଠାରେ ଡବ୍ଲୁଡିସି ପାଣ୍ଠିର ଦୁରୁପଯୋଗ ସକମା ଠାରେ ନିର୍ମାଣ ହୋଇଥିବା ଖେଳପଡିଆ ଦୁର୍ନୀତିର ଅନୁସନ୍ଧାନ ଏବଂ ମନହୀରାରୁ ବହିସ୍କୃତ ପୂର୍ବତନ ସରପଞ୍ଚଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । କ୍ରୀଡା ଆଲୋଚନା ବେଳେ ପିଆର ହାଇସ୍କୁଲ ପଡିଆରେ ଏକ ସୁଇମିଂ ପୋଲ, ଟାଉନ ହାଇସ୍କୁଲ ଠାରେ ହକି ଷ୍ଟାଡିୟମ ନିର୍ମାଣ, ଜରାସିଂହା ମିନି ଷ୍ଟାଡିୟମ ନିର୍ମାଣ ଏବଂ ଦେଓଗାଁ, ଅର୍ଜୁନପୁର ଏବଂ ଚୁଡାପାଲି ଠାରେ ଗୋଟିଏ ଲେଖାଏଁ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇବାକୁ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରିଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଶେଷରେ ସମୟର ସ୍ୱଳ୍ପତା ଯୋଗୁଁ ବୈଠକକୁ ଅଧାରେ ବନ୍ଦ କରାଯାଇ ବୈଠକ ପାଇଁ ପରବର୍ତ୍ତି ସମୟ ଅଧିକାରୀମାନଙ୍କୁ ଜଣାଇ ଦିଆଯିବ ବୋଲି କହି ଶ୍ରୀ ମିଶ୍ର ଆଜିର ବୈଠକକୁ ମୁଲତବି ଘୋଷଣା କରିଥିଲେ । ଆଜିର ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!