ନୂତନ ପେନସନଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସାଧାରଣ ବୈଠକ

  • ପୁରୁଣା ପେନସନ ଦାବୀ ତେଜିଲା

ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଡା ବ୍ଲକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଚଡେଇପଙ୍କ ପରିସରରେ ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ନୂତନ ପେନସନ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସୁବର୍ଣ୍ଣପୁରର ସଭାପତି ଶଶାଙ୍କ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାିଛି । ଏଥିରେ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଦୀର୍ଘ ଦିନ ଧରି ଏକ ନିର୍ଦ୍ଧିଷ୍ଟ ବର୍ଗର ଶିକ୍ଷକ ମାନଙ୍କ ଏମ୍‌ଏସିପି କାର୍ଯ୍ୟକାରୀ ହୋଇ ପାରୁନଥିବା ବେଳେ ଏ ସମ୍ବନ୍ଧରେ ଜିଲ୍ଲା ଶିକ୍ଷାଧିଶ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୨୨୫ତା ୩୦.୦୩.୨୦୨୨କୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶିକ୍ଷାଧିଶଙ୍କୁ ଦାବୀପତ୍ର ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ନୂତନ ପେନସନ ପରିବର୍ତ୍ତେ ପୁରୁଣା ପେନସନ ବ୍ୟବସ୍ଥାର ପ୍ରଚଳନ ପାଇଁ ସଙ୍ଘ ପକ୍ଷରୁ ଦୃଢ ଦାବୀ ଉପସ୍ଥାପନ ସହ ଆଗାମୀ ଦିନରେ ଏନ୍‌ଏମ୍‌ଓପିଏସ୍‌ର ରାଷ୍ଟ୍ରୀୟ ଆବାହକ ବିଜୟ ବନ୍ଧୁ ଓ ରାଜ୍ୟ ଆବାହକ ବିଜୟ ମଲ୍ଲଙ୍କ ନେତୃତ୍ୱରେ ହେବାକୁ ଥିବା ଆନ୍ଦୋଳନରେ ସଙ୍ଘ ଯୋଗ ଦେବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା । ଗତ ଡିସେମ୍ବର ୨୦୨୧ରେ ଜିଲ୍ଲା ଶିକ୍ଷା ବିଭାଗ ସୁବର୍ଣ୍ଣପୁର ଦ୍ୱାରା ଜିଲ୍ଲାର ଶତାଧିକ ଶିକ୍ଷକଙ୍କୁ ଲେଭେଲ V(A)ରୁ ଲେଭେଲ V(B)କୁ ପଦୋନ୍ନତି ଦେଇଥିବାରୁ ସଙ୍ଘ ତରଫରୁ ବିଭାଗୀୟ ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ତତ୍‌ ସଂଗେ ସଂଗେ ଆଗାମୀ ଜୁନ ୨୦୨୨ ଶେଷ ସୁଦ୍ଧା ଉକ୍ତ V(B)ଶିକ୍ଷକ ମାନଙ୍କୁ ପୁନଶ୍ଚ ଲେଭେଲ (IV)କୁ ପଦୋନ୍ନତି ଦେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିଶଙ୍କୁ ଏକ ଆବେଦନ ପତ୍ର ଦିଆଯିବାକୁ ନିଷ୍ପତ୍ତି ନିଆଗଲା । ବୈଠକରେ ଶିକ୍ଷକ ମନୋଜ ସାହୁ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଶ୍ରୀନିବାସ ରଥ, ଦୋଳଗୋବିନ୍ଦ ପଣ୍ଡା, ପ୍ରକାଶ ପଧାନ, ସୁରେଶ ପୁଜାହାରୀ, ହୃଷିକେଶ ଚାନ୍ଦ, ପ୍ରାଣବନ୍ଧୁ ସାହୁ, ଅମର ସିଂ, ମନୋରଞ୍ଜନ ପାଣ୍ଡିଆ ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ । ଶିକ୍ଷକ ଗୋପେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.