ଦାଦନ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ଦୀପା : ତେଲେଙ୍ଗାନାରୁ ଉଦ୍ଧାର ହେଲେ ୧୦ ପ୍ରବାସୀ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦାଦନ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦୀପା । ତେଲେଙ୍ଗାନାରୁ ଉଦ୍ଧାର ହେଲେ ୧୦ ପ୍ରବାସୀ ଶ୍ରମିକ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂସଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁନିକେଲ ଏବଂ ଗଡ଼ଗାଁ ଅଞ୍ଚଳର ୧୦ ଜଣ ପ୍ରବାସୀ ଶ୍ରମିକ ତେଲେଙ୍ଗାନା ରାଜ୍ୟ ୟାଦାରୀ ଭୁବନଗରୀ ଜିଲ୍ଲାର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ପ୍ରତ୍ୟେକ ପରିବାର ୩୬ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ପାଉଣା ନେଇ ଏକ ଦାଦନ ସର୍ଦ୍ଦାରଙ୍କ ଜରିଆରେ ଗତବର୍ଷ ନଭେମ୍ବର ମାସ ୫ ତାରିଖରେ ବାହାର ରାଜ୍ୟକୁ ଯାଇଥିଲେ । କିଛିମାସ ଗଲା ପରେ ଅଗ୍ରୀମ ଟଙ୍କା ସୁଝିବା ପରେ ସେମାନେ ଘରକୁ ଫେରିବାକୁ ଚାହିଁଥିଲେ ଏବଂ ଇଟାଭାଟି ମାଲିକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ସେ ତାଙ୍କୁ ଛାଡ଼ିବା ପାଇଁ ନାରାଜ ଥିଲେ । ଏଭଳି ପରିସ୍ଥିତିରେ ସେମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଧର ସାହୁଙ୍କ ଜରିଆରେ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ । ଦୀପା ଘଟଣାର ତର୍ଜମା କରିବା ପରେ ପ୍ରବାସୀ ଶ୍ରମିକ ମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ । ସେ ଟ୍ଵିଟର ମାଧ୍ୟମରେ ୟାଦାରି ଭୁବନଗରୀ ଜିଲ୍ଲାପାଳ ଏବଂ ରଚକୋଣ୍ଡା ପୋଲିସକୁ ଯୋଗାଯୋଗ କରିବା ପରେ ପୋଲିସ ଦୀପାଙ୍କୁ ଶ୍ରମିକମାନଙ୍କ ଯୋଗାଯୋଗ ନମ୍ବର ମାଗିଥିଲେ । ଏହାପରେ ଶ୍ରମିକମାନଙ୍କ ପାଖକୁ ସେଠାକାର ଜିଲ୍ଲାପାଳ ପାମେଲା ଶତପଥି ଏକ ଦଳ ପଠେଇ ଉଦ୍ଧାର କରିବା ପାଇଁ ବ୍ୟବସ୍ଥା କରିଥିଲେ । ସ୍ଥାନୀୟ ପୋଲିସର ସହାୟତାରେ ପ୍ରବାସୀ ଶ୍ରମିକମାନଙ୍କୁ ରେଳଷ୍ଟେସନରେ ଛାଡ଼ିବା ସହ ଟ୍ରେନ ଭଡ଼ା ବାବଦରେ ଜଣପ୍ରତି ୧୨ ଶହ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସେଠାକାର ପ୍ରଶାସନ ଉତ୍ତର ରଖିଛନ୍ତି । ସେମାନେ ଉଦ୍ଧାର ହେଇ ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ମନରେଗା ଜରିଆରେ ସ୍ଥାନୀୟ ନିଯୁକ୍ତି ପ୍ରଦାନ କରିବାକୁ ଦୀପା ପାଇକମାଲ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଦୀପାଙ୍କ ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

error: Content is protected !!