ଘୋରଡିଆ ପ୍ରସିଦ୍ଧ ଦୟଣାଚୋରୀ ମେଳଣ ଓ ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ପ୍ରସିଦ୍ଧ ଦୟଣାଚୋରୀ କୁଂଜ ମେଳଣ ଓ ଲୋକଉତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ ଘୋରଡିଆ ବଜାରସ୍ଥିତ ପାଠଗାରା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦୟଣାଚୋରୀ କୁଜଂ ମେଳଣ ଓ ଲୋକଉତ୍ସବ କମିଟିର ସଭାପତି ତଥା ଯୁବ ଆଇନଜୀବୀ ଶଶୀଶେଖର ରାୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୟଣାଚୋରୀ ମେଳଣ ଯାତ୍ର। ପାଳନ ସମ୍ପର୍କରେ ସାମୟିକ ସୂଚନା ପ୍ରଦାନ କରାଯାଇଛି । ଏପ୍ରିଲ ୧୫ ତାରିଖ ମଧ୍ୟରାତ୍ରରୁ ମେଳଣ ଜମାଣ ପର୍ବ ଅନୁଷ୍ଠିତ ହେବା ସହ ଏହା ୫ଦିନ ଧର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । କୋଭିଡ ସଂକ୍ରମଣକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ୨ବର୍ଷ ଧରି ମେଳଣ ବନ୍ଦ ରହିଥିବା ବେଳେ କେବଳ ରୀତିନୀତିରେ ଏହା ପାଳନ କରାଯାଉଥିଲା । କଟକଣା ଉଠିବା ପରେ ଏବର୍ଷ ମେଳଣରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ସେଥିପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କମିଟି ପକ୍ଷରୁ ଲୋଡାଯାଇଛି । ଏହି ମେଳଣରେ ଲୋକକଳା ଉତ୍ସବ, ପାଇକ ଆଖଡା, ଗୋଟିପୁଅ, ନୃତ୍ୟ, ଦୟଣା ଚୋରୀ, ସାହିତ୍ୟ ଆସର, ଭଜନ ସମାରୋହ ସହିତ ବିଭିନ୍ନ ପ୍ରକାରର ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳଣକୁ ସରସ ସୁନ୍ଦର ଓ ଲୋକାଭିମୁଖୀ କରିବା ସହ ଭାଇଚାରା ଭାବର ସମନ୍ୱୟ ପ୍ରତିଷ୍ଠା ସହ ଅଚଂଳର ଐତିହ୍ୟ, ପରମ୍ପରା, କଳା ସଂସ୍କୃତି ଉଜ୍ଜୀବିତ କରିବା ସମସ୍ତଙ୍କ ଲକ୍ଷ୍ୟ ରହିବ । ସେଥିପାଇଁ ସମସ୍ତ ପ୍ରକାର ଚୁଡାନ୍ତ ପ୍ରକିୟା ଶେଷ ପର୍ଯ୍ୟାୟରେ ପହଂଚି ଥିବା ସଭାପତି ଶ୍ରୀ ରାୟ ସୂଚନା ଦେଇଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୃର୍ବାଶା ନିଶଙ୍କ, ଶାନ୍ତିକମିଟି ସଦସ୍ୟ ତଥା ଶିକ୍ଷାବିତ ରମେଶ ଚନ୍ଦ୍ର ସ୍ୱାଇଁ, ସ୍ୱସ୍ତିଜ୍ୟୋତି ସ୍କୁଲର ଅଧ୍ୟକ୍ଷ ଗଙ୍ଗାଧର ବରାଳ, ଶାନ୍ତି କମିଟି ସଦସ୍ୟ ଏମଡି ମୁସ୍ତାକ ଓ ଦେବରାଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗଙ୍ଗାଧର ବରାଳ ଧନ୍ୟବାଦ ଅପର୍ଣ କରିଥିଲେ ।

Leave A Reply

Your email address will not be published.