ପ୍ରଜ୍ଞାପୁରୁଷ କବି ସଂଜୀବ କୁମାର ନାୟକଙ୍କ ପରଲୋକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜଣେ ପ୍ରଚଣ୍ଡ ପ୍ରତିଭାବନ୍ତ ସବୁଜ ମଣିଷ ଅଧ୍ୟାପକ ସଂଜୀବ ନାୟକଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛିଦିନ ହେବ କଟକ ବଡ଼ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଇଂଗ୍ରାଜୀ ଭାଷା ସାହିତ୍ୟ ସହ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ଦିବଂଗତ ସଂଜୀବ ନାୟକଙ୍କ ଗଭୀର ପ୍ରବେଶ ରହିଥିଲା । ସମାଜ, ସାହିତ୍ୟ ଓ ବିଜ୍ଞାନକୁ ସହଜ ସୁନ୍ଦର ଦାର୍ଶନିକ ଦୃଷ୍ଟି ଦେଇ ବଖାଣିବାରେ ସେ ଥିଲେ ଜଣେ ଧୁରୀଣ ସାରସ୍ବତ ସାଧକ । ଜୀବନ – ପ୍ରେମ ଓ ମୃତ୍ୟୁର ଅତିନ୍ଦ୍ରିୟ ଦର୍ଶନକୁ ନେଇ କବି ସଂଜୀବ ନାୟକଙ୍କ “ତୁମେ ନଥିବା ଜାଗାରେ ” କବିତା ପୁସ୍ତକ ପ୍ରକାଶିତ ହୋଇ ବେଶ ଜନାଦୃତ ହୋଇଛି । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଇଂଗ୍ରାଜୀ ଭାଷା ସାହିତ୍ୟରେ ସ୍ନାତ୍ତକୋତ୍ତର ପାଠପଢି ସାରିବା ପରେ ସୋନପୁର ମହାବିଦ୍ୟାଳୟ ଓ ଏବେ ବୌଦ୍ଧ ମହାବିଦ୍ୟାଳୟରେ ଇଂଗ୍ରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରୁଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାପତି ଓ ସଂପାଦକ ଭାବେ ବହୁବାର ଦାୟିତ୍ୱ ନେଇ ଅନେକ ସଫଳ କାର୍ଯ୍ୟକ୍ରମ କରିବାରେ ତାଙ୍କର ପ୍ରତିଷ୍ଠା ଓ ପରାକାଷ୍ଠା ସ୍ମରଣୀୟ ହୋଇ ରହିବ ।

Leave A Reply

Your email address will not be published.