ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ଏବେ ନଷ୍ଟ ହେବା ଦିଗରେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବୃକ୍ଷ ହିଁ ଜୀବନ । ଗଛଟିଏ ଲଗାଇ ପ୍ରତ୍ୟେକ ବ୍ୟକ୍ତି ସମାଜ ପାଇଁ ଗଛକୁ ଲାଳନ ପାଳନ କରି ବଡ଼ କରିପାରିଲେ ମଣିଷ ଜୀବନ ସାର୍ଥକ ହୋଇଥାଏ । ଏହି ଗଛ ଦ୍ବାରା ସମାଜରେ ବାସ କରୁଥିବା ମଣିଷଙ୍କ ଠାରୁ ଆରମ୍ଭ କରି ଜୀବଜନ୍ତୁ ମଧ୍ୟ ଉପକୃତ ହୋଇଥାନ୍ତି । ଆଜିର ଦୂନିଆଁରେ ମଣିଷ ମାନେ ଗଛଟିଏ ଲଗାଇବା ବଦଳରେ ଗଛକୁ କାଟି ପରିବେଶକୁ ନଷ୍ଟ କରିବା ଦ୍ୱାରା ନିଜର କ୍ଷତି କରିବା ସହିତ ପରିବେଶକୁ ମଧ୍ୟ ବିପଥଗାମୀ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ପାଢେଲ ସର୍କଲ ବନବିଭାଗ ପକ୍ଷରୁ ପାଢେଲ ସିମା ରେଙ୍ଗାଲଜୁରୀରୁ ଦୁନ୍ଧେଲ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ପଥପାର୍ଶ୍ବରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବୃକ୍ଷ ରୋପଣ କରାଯାଇଥିଲେ ହେଁ ଗୋଟିଏ ଗଛ ମଧ୍ୟ ବଞ୍ଚି ପାରିନାହିଁ । ସରକାରଙ୍କ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ହେଲେ ବୃକ୍ଷ ରୋପଣ କରି ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ନଷ୍ଟ ହେଉଛି । ଅନ୍ୟ ପକ୍ଷରେ ପାଢେଲ ସର୍କଲର ବାଙ୍କୋଡ ଜଙ୍ଗଲ ଅଞ୍ଚଳରେ ରେଙ୍ଗାଲଜୁରୀ ଚଙ୍ଗରିଆ, ଦାବମାଳ, ଦୁନ୍ଧେଲ ଆଦି ଗ୍ରାମ ସମେତ ଅନ୍ୟ ଗ୍ରାମ ଗୁଡିକରେ ମଧ୍ୟ ବନବିଭାଗ ଓ ବନସୁରକ୍ଷା ସମିତିର ମିଳିତ ଉଦ୍ୟମରେ ଆମ ଜଙ୍ଗଲ ଯୋଜନା ଜଙ୍ଗଲକୁ ପୁନଃ ଉଦ୍ଧାର କରିବା ପାଇଁ ଲକ୍ଷ ଲକ୍ଷ ଚାର, ଅଁଳା, ବାହାଡା, ଶାଳ, ପିଆଶାଳ, ଶିଶୁ, ଅର୍ଜୁନ, ବାଉଁଶ, ବିଲାତି, ଚାଖୁଣ୍ଡା, ପାଶି, ନିମ ଆଦି ଗଛ ରୋପଣ କରାଯାଇଛି । ଏହି ଗଛ ବଡ଼ ହେବା ଦ୍ଵାରା ପରିବେଶ ସୁରକ୍ଷା ସୁସ୍ଥ ସୁନ୍ଦର ବାତାବରଣ ସୃଷ୍ଟି କରିଛି । ହେଲେ ଅସାଧୁ ଓ କାଠ ମାଫିଆ ଲୋକମାନେ ଗଛ ଗୁଡ଼ିକୁ କାଟି ନେଇଯାଉଛନ୍ତି । ପାଟଣାଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳ ତଥା ମୁଖ୍ୟ ରାଜ୍ୟ ରାସ୍ତାର ସଂପ୍ରସାରଣ ପାଇଁ ରାଜଡ ଶାସନ କାଳରେ ଦୀର୍ଘ ୩ ଶହ ବର୍ଷ ତଳରେ ରୋପଣ କରାଯାଇଥିବା ବିରାଟ ବିରାଟ ଗଛ କାଟି ଦିଆଯିବାରୁ ଯେଉଁ ରାସ୍ତା ଓ ଜଙ୍ଗଲ ଦେଇ ଲୋକ ମାନେ ଗଲା ବେଳେ ଗଛର ଛାଇଁ ରେ ଆନନ୍ଦ ଅନୁଭବ କରୁଥିଲେ । ସେହି ଆନନ୍ଦ ଆଉ ମିଳୁନାହିଁ ବୋଲି ମତ ପ୍ରକାଶ ପାଉଛି । ସରକାର ବନବିଭାଗ ଓ ପଞ୍ଚାୟତ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ କାଠ ମାଫିଆ ମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଏବଂ କେତେ ଜଣ ନିର୍ଦ୍ଧିଷ୍ଟ ବ୍ୟକ୍ତି ଚୋରି କରିନେଉଥିବାରୁ ଜଙ୍ଗଲ ନଷ୍ଟ ହେବାକୁ ବସିଛି । ବନବିଭାଗ ଓ ପଞ୍ଚାୟତ ପକ୍ଷରୁ ଏହାର ରକ୍ଷଣାବେକ୍ଷଣର ସୁବନ୍ଦୋବସ୍ତ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.