jayashree

ମହାନଦୀ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସଦ୍‌ବୁଦ୍ଧି ଆଳତି ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମହାନଦୀ ସୁରକ୍ଷା ଦାବୀରେ ସୁବର୍ଣ୍ଣପୁରର ମହାନଦୀ ସେତୁଠାରେ ଅଭିନବ ଢଙ୍ଗରେ ଆଜି ଏକ ବିକ୍ଷୋଭ ସମାବେଶ ସହ ସଦ୍‌ବୁଦ୍ଧି ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ ଆୟୋଜିତ ଏହି ସଦ୍‌ବୁଦ୍ଧି ଆଳତିରେ ପରିବର୍ତ୍ତନର ସଦସ୍ୟ /ସଦସ୍ୟାମାନେ ଯୋଗଦେଇ ମହାନଦୀ ବଂଚାଅ ନାରା ସହ ଓଡିଶା ସରକାର ମହାନଦୀକୁ ନେଇ ଅତୀତରେ କରିଥିବା ହୀନ ରାଜନୀତିକ ପ୍ରହସନର ନିନ୍ଦା କରିଛନ୍ତି । ମହାନଦୀ ଓଡିଶାର ପ୍ରାଣ, ଛତିଶଗଡକୁ ଦୋଷ ଦେବା ଆଉ କେତେ ଦିନ ପରି ସ୍ଲୋଗାନବାଜିରେ ସଦ୍‌ବୁଦ୍ଧି ଆଳତି ପ୍ରଦାନ କରାଯାଇଛି । ମହାନଦୀ ସୁରକ୍ଷା ଅଭିଯାନ ନାମରେ କୋଟି କୋଟି ଟଙ୍କାକୁ ହରିଲୁଟ୍ କରିଥିବା ରାଜ୍ୟ ସରକାର ଉତ୍ତରଦାୟୀ ହେବା ପରିବର୍ତ୍ତେ ଓଲଟା ଛତିଶଗଡ ସରକାର ଓ କେନ୍ଦ୍ର ସରକାରକୁ ଦାୟୀ କରି ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟକୁ ପ୍ରସଙ୍ଗ ନେଇ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି । ଆଜିର ଦିନରେ ହୀରାକୁଦ ଜଳ ଭଣ୍ଡାରକୁ ଉପରମୁଣ୍ଡରୁ ଜଳ ଆସୁନଥିବା ବେଳେ ତଳ ମୁଣ୍ଡରେ ଜଳ ପ୍ରବାହ କ୍ଷୀଣ ହେବାରେ ଲାଗିଛି । ଫଳରେ, ହୀରାକୁଦ ଜଳ ଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜିଛି ଏବଂ ଉଭୟ କେନାଲ ଓ ନଦୀରେ ପାଣି ଆସୁନଥିବାରୁ ଚାଷବାସ ସହ ଜନ ଜୀବନ କ୍ରମାଗତ ଭାବେ ପ୍ରଭାବିତ ହୋଇ ଚାଲିଛି । ପରିବର୍ତ୍ତନର ଆବାହକ ବଳଦେବ ବେଦବାକ ଅଭିଯୋଗ ଆଣି କହିଛନ୍ତି ଯେ, ମହାନଦୀର ତଳ ମୁଣ୍ଡରେ ଏକାଧିକ ବ୍ୟାରେଜ୍ କିମ୍ବା ଆନିକଟ୍ ନିର୍ମାଣ ଘୋଷଣା କରିଥିବା ରାଜ୍ୟ ସରକାର ଏବେ ନିରବ ରହିବା ଘଟଣା ମହାନଦୀ ସୁରକ୍ଷା ପ୍ରସଙ୍ଗକୁ ଅଣଦେଖା କରାଯାଉଛି । ସୁବର୍ଣ୍ଣପୁରର ମହାନଦୀ ଓ ତେଲନଦୀ ସଂଗମସ୍ଥଳି ଅସୁରଗଡ ପାଖରେ ପ୍ରସ୍ତାବିତ ଆନିକଟ୍ ନିର୍ମାଣ ଘୋଷଣା ପାଣିରେ ମିଳାଇ ଯାଇଛି । ତେଣୁ ଏମିତି ଏକ ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ଚିନ୍ତକ ଗୋଷ୍ଠୀ ସହ ଜନ ପ୍ରତିନିଧିମାନଙ୍କୁ ମନେ ପକାଇବା ଏବଂ ସ୍ବ-ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦାବୀରେ ଆଜିର ଏହି ସଦବୁଦ୍ଧି ଆଳତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.