ବିଜେପୁରରେ ଶିକ୍ଷକ ସମାବେଶରେ ମତପ୍ରକାଶ : ପୁରୁଣା ପେନ୍‌ସନ୍‌ ଲାଗୁ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୦୫ରୁ ସରକାରୀ କର୍ମଚାରୀମାନଙ୍କ ପାଇଁ ଏନ୍‌ପିଏସ୍‌ ଲାଗୁ ହୋଇଛି । ଏହାଦ୍ୱାରା କର୍ମଚାରୀଗଣ ଉପକୃତ ହେବା ଅପେକ୍ଷା ବହୁ ଦହଗଞ୍ଜ ହେଉଛନ୍ତି । ତେଣୁ ଏହା ପରୋକ୍ଷରେ ସରକାରଙ୍କ କର୍ମଚାରୀ ମାରଣନୀତି ହୋଇଛି । ଦୀର୍ଘ ୨୦ବର୍ଷ ଧରି ସେବା କରିଥିବା କର୍ମଚାରୀ ପୁରୁଣା ପେନ୍‌ସନ୍‌ ପାଇବାର ହକଦାର ଅଟେ । ସୁତରାଂ ଏନ୍‌ପିଏସ୍‌ ଉଚ୍ଛେଦ କରାଯାଇ ପୁରୁଣା ପେନ୍‌ସନ୍‌ ଲାଗୁ ନ ହେବା ଯାଏଁ ଆନ୍ଦୋଳନ ଅବ୍ୟାହତ ରହିବ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଶିକ୍ଷକ ଭବନରେ ଏନ୍‌ପିଏସ୍‌ ଉଚ୍ଛେଦ ଓ ପୁରୁଣା ପେନ୍‌ସନ୍‌ ଲାଗୁ ପାଇଁ ହୋଇଥିବା ଶିକ୍ଷକ ସମାବେଶରେ ଏହି ମତପ୍ରକାଶ ପାଇଛି । ପଦ୍ମପୁର ଏନ୍‌ପିଏସ୍‌ ସଂଘର ସଭାପତି ରଘୁନାଥ ପୁରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଘ୍ନରାଜ ଗଜାନନ ତଥା ବରପୁତ୍ରଙ୍କ ପ୍ରତିକ୍ରୁତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମାବେଶକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋହେଲା ଏନ୍‌ପିଏସ୍‌ ସଂଘର ସଭାପତି କୁବେର ମହାପାତ୍ର, ବିଜେପୁର ଶିକ୍ଷକ ସଂଘର ସଭାପତି ଭାଗବତ ସାହୁ ସମ୍ମାନୀତ ଅତିଥି, ସୋହେଲା ଏନ୍‌ପିଏସ୍‌ ସଂଘର ବରିଷ୍ଠ ନେତା ଜୟସିଂ ମହାନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ । ପ୍ରୁଥ୍ବୀରାଜ ବାରିକଙ୍କ ଅଧ୍ୟକ୍ଷତାରେ ସମାବେଶ ଅନୁଷ୍ଠିତ ହୋଇଥିଲା । ସଂପ୍ରତି ଲାଗୁ ହେଉଥିବା ଏନପିଏସ ବ୍ୟବସ୍ଥା ଉଛ୍ଛେଦ କରାଯାଇ ପୁରୁଣା ପେନସନ ଲାଗୁ କରିବା ଦିଗରେ ଆଗାମୀ ଦିନରେ ସରକାରଙ୍କ ନିକଟରେ ଦାବୀ କରିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ଏକତ୍ରିତ କରିବାକୁ ଆଲୋଚନା ହୋଇଥିଲା । ସୁନନ୍ଦ ମିଶ୍ର, ସୀତାରାମ ଦୀପ, ରାଜେଶ୍ବର ବେହେରା, କବତାରାଣୀ ସାହୁ, ସୌମ୍ୟ ରଂଜନ ପଧାନ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଘନଶ୍ୟାମ ଡନସନା ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଭୂତି ଭୂଷଣ ସାହୁ ସମାବେଶକୁ ସଂଯୋଜନା କରିଥିଲେ। ନବୀନ ସାହୁ, ବାଲାଜି ରାଓମୋରେ, ପ୍ରଭାତ ରଂଜନ ସାହୁ, ପ୍ରଭାତ ମୋହନ ମିଶ୍ର, ଭଗବାନ ବଡଗୋଛିଆ, ସରୋଜ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଡିଓ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.