ବସ୍ତି ଆଇନ ସଂଶୋଧନକୁ ସ୍ୱାଗତ କଲା ଓଡ଼ିଶା ବସ୍ତି ସଂଘର୍ଷ ସମିତି

  • ବସ୍ତି ୱେଲଫେୟାର୍‌ ବୋର୍ଡ ଗଠନ କରାଯାଉ : ପ୍ରତାପ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭାରେ ବସ୍ତି ଆଇନ ୨୦୦୩ ସଂଶୋଧନକୁ ସ୍ୱାଗତ କରିଛନ୍ତି ଓଡ଼ିଶା ବସ୍ତି ସଂଘର୍ଷ ସମିତିର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁ । ଶ୍ରୀ ସାହୁ କହିଛନ୍ତି ଯେ, ଦୀର୍ଘ ବର୍ଷ ହେବ ବସ୍ତି ବାସିନ୍ଦାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ବସ୍ତି ଆଇନ ସଂଶୋଧନ କରିଥିବାରୁ ଶ୍ରୀ ସାହୁ ଉଭୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସଂଶୋଧନ ଆଇନରେ ଏନ୍‌ଏସିରେ ଓ ମ୍ୟୁନିସିପାଲିଟିରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ସରକାର ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ୩୦ ବର୍ଗ ମିଟିର ଜାଗା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘରେ ଯୋଗାଇ ଦେବେ ବୋଲି ମନ୍ତ୍ରୀ ମହୋଦୟ ଘୋଷଣା କରିଛନ୍ତି । ଏତଦ୍‌ବ୍ୟତୀତ ସରକାରଙ୍କ ନିର୍ଦ୍ଧାରିତ ସମୟ ପୂର୍ବରୁ ଯିଏ ଘର ତିଆରି ଶେଷ କରିବ, ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଏହି ଆଇନରେ ପାରିତ ହୋଇଥିବାରୁ ବସ୍ତି ବାସିନ୍ଦାମାନେ ଖୁସିବ୍ୟକ୍ତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶା ବସ୍ତି ସଂଘର୍ଷ ସମିତିର ଦୀର୍ଘ ବର୍ଷ ଲଢେ଼ଇର ଏହା ସଫଳତା । ଏହାଦ୍ୱାରା ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ପାଖରେ ବସ୍ତି ୱେଲଫେୟାର ବୋର୍ଡ ଗଠନ କରାଯାଉ ବୋଲି ଦାବୀ କରିଛନ୍ତି ।

Leave A Reply

Your email address will not be published.