ପଣ୍ଡରିପାଣି ମହୁଲପଡ଼ା ନଳକୂପର ପାଣି ବାଣ୍ଟୁଛି ରୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସଂକ୍ରମଣ ରୋଗଠାରୁ ଆରମ୍ଭ କରି ଦୂରାରୋଗ୍ୟ ରୋଗ ଦୁଷିତ ପାଣି ଯୋଗୁଁ ହୋଇଥାଏ । ସରକାର ଏଥିପାଇଁ ବିଶୁଦ୍ଧ ପାଣି ସେବନ ପାଇଁ ସଚେତନ କରୁଥିବା ବେଳେ ସ୍ବତନ୍ତ୍ର ବିଭାଗ ଆନୁକୂଲ୍ୟରେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ କିପରି ଜନସାଧାରଣ ସ୍ୱଚ୍ଛପାନୀୟଜଳ ପାଇବେ ସେନେଇ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତିି । ସେ ଯୋଜନା ମଧ୍ୟରୁ ନଳକୂପ ଖନନ ଅନ୍ୟତମ । ନଳକୂପରୁ ଦୂଷିତ ପାଣି ବାହାରିବା ତାହା ପାନୀୟ ଜଳ ଭାବେ ବ୍ୟବହାର କରି ଅନେକ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ପଣ୍ଡରିପାଣି ମହୁଲପଡ଼ାରେ ପ୍ରାୟ ୧୫୦ରୁ ଅଧିକ ଲୋକେ ବସବାସ କରନ୍ତି । ମହୁଲପଡ଼ାରେ ଦୁଇଟି ନଳକୂପ ଥିବା ବେଳେ ସେଥିରୁ ପାଣି କମ୍ ବାହାରିବା ଓ ଦୂଷିତ ଲାଲ୍ ରଙ୍ଗର ପାଣି ବାହାରୁଥିବା ଅଭିଯୋଗ ହେଉଛି । ନଳକୂପରୁ ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ବାସନକୁସନ ଲାଲ୍ ହୋଇଯିବା, ପାନୀୟ ଜଳ ପିଇ ଦାନ୍ତ କଲାରଙ୍ଗ ହେଉଥିବା ଅଭିଯୋଗ କରିଛନ୍ତି ମହୁଲପଡ଼ାର ମାଲତି ଧରୁଆ ଓ ତୁଲସା ଧରୁଆ । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ପିଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ପାନୀୟ ଜଳ ପାଇ କୌଣସି ବ୍ୟବସ୍ଥା ନଥିବାରୁ ପଡ଼ାରେ ଥିବା ନଳକୂପ ଉପରେ ନିର୍ଭର କରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସାଙ୍ଗକୁ ଧାଡ଼ିରେ ରହି ପାଣି ଆଣିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପାନୀୟ ଜଳ ପାଇଁ ଅନ୍ୟତ୍ର ନଳକୂପ ଖନନ କରିବା ସହ ସରକାରଙ୍କ ସ୍ୱଜଳ ଧାରା ଯୋଜନାରେ ପିଇବା ପାଣି ଯୋଗାଇ ଦେବାକୁ ମହୁଲପଡ଼ାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.