ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌରାଂଚଳରେ ଆଜି ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ଲୋକେ ଖୁବ୍ ଉତ୍ସାହର ସହ ଭୋଟ ଦେଉଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ମତେ ମଧ୍ୟାହ୍ନ ସୁଦ୍ଧା ୩୫ ପ୍ରତିଶତ ମତଦାନ ହାର ରହିଛି । ସୁବର୍ଣ୍ଣପୁର ପୌର ପରିଷଦର ୨୧ଟି ବୁଥ୍, ତରଭା ଏନ୍ଏସିର ୧୨ଟି ବୁଥ୍ ଓ ବିନିକା ଏନ୍ଏସିର ୧୫ଟି ବୁଥରେ ଉଭୟ କାଉନସିଲର୍ ଓ ଚେୟାରମେନ୍ ପ୍ରାର୍ଥୀଙ୍କ ପାଇଁ ଦୁଇଟି ଲେଖାଏଁ ଇଭିଏମ୍ ମେସିନ୍ରେ ଭୋଟର୍ ମାନେ ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଆଜି ଚାଲିଥିବା ପୌର ନିର୍ବାଚନରେ ସୁବର୍ଣ୍ଣପୁର ପୌର ପରିଷଦରେ ୧୬ ହଜାର ୭୮୫ଜଣ ଭୋଟର୍, ତରଭା ଏନ୍ଏସିରେ ୬ ହଜାର ୫୫୫ଜଣ ଭୋଟର୍ ଏବଂ ବିନିକା ଏନ୍ଏସିରେ ୧୨ହଜାର ୫୧୭ଜଣ ଭୋଟର୍ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିୟୁକ୍ତ ହୋଇଛନ୍ତି ।
Prev Post