oom

ରାଜେନ୍ଦ୍ର ଆଲୁମ୍ନିର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଲୁମ୍ନି ଏସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ଅରବିନ୍ଦ ଦାସ, କୋଷାଧ୍ୟକ୍ଷ ଡ.ଶ୍ରୀକର ମିଶ୍ର, ବିଶ୍ୱବିଦ୍ୟାଳୟର କୂଳସଚିବ ଡ.ଦୁର୍ଗାପ୍ରସନ୍ନ ମହାପାତ୍ର ଓ ବରିଷ୍ଠ ସଦସ୍ୟ ଡ.ଲକ୍ଷ୍ମୀକାନ୍ତ ମହାପାତ୍ର ମଂଚାସୀନ ଥିଲେ । କୁଳସଚିବ ଡ.ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ମୋ କଲେଜ ଅଭିଯାନ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସଂପାଦକ ଶ୍ରୀ ଦାସ ବିବରଣୀ ଉପସ୍ଥାପନ କରିବା ସହ ବିଗତ ଦିନ ତଥା ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । କୋଷାଧ୍ୟକ୍ଷ ଡ.ମିଶ୍ର ଗତ ପ୍ଲାଟିନମ ଜୁବୁଲିରୁ ଏପର୍ଯ୍ୟନ୍ତ ହୋଇଥିବା ଆୟବ୍ୟୟର ସଂପୂର୍ଣ୍ଣ ଅଡିଟ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ଅବସରରେ ବହୁ ସଦସ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏହାପରେ ନୂତନ ସମ୍ବିଧାନର ଚିଠା ସଂପର୍କରେ ପ୍ରଫେସର ରବିଶଙ୍କର ପାଣ୍ଡିଆ ସମସ୍ତଙ୍କୁ ସୂଚନା ଦେବା ସହ ଏହାର ଚୂଡାନ୍ତ ରୂପରେଖ ଆଗାମୀ ଦିନରେ କାର୍ଯ୍ୟକାରୀ କମିଟିର ଅନୁମୋଦନ କ୍ରମେ ସାଧାରଣ ପରିସରରେ ଉପସ୍ଥାପନ କରାଯିବା ନେଇ ସୂଚନା ଦେଇଥିଲେ । ଏହାପରେ ସଭାପତିଙ୍କ ଅନୁମୋଦନକ୍ରମେ ଆଲୁମ୍ନିର ସିଦ୍ଧେଶ୍ୱର ମିଶ୍ର, ପ୍ରଭାସ ପାଣିଗ୍ରାହୀ, ଭବାନୀ ଶତପଥି, ଜୟଦେବ କର, ସତ୍ୟସୁନ୍ଦର ଭଞ୍ଜ, ରତନ ମହାରଣା, ବ୍ୟାସଦେବ ନନ୍ଦ ପ୍ରମୁଖ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ଆଗାମୀ ଦିନରେ ଆଲୁମ୍ନିକୁ ଆହୁରି ସଶକ୍ତ କରିବାକୁ ମତ ରଖିଥିଲେ । ଏହାପରେ ସଭାପତିଙ୍କ ଘୋଷଣାକ୍ରମେ ଆଲୁମ୍ନି ସଂଘର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବରେ ପ୍ରଭାସ ପାଣିଗ୍ରାହୀ, ସଂପାଦକ ଭବାନୀ ଶତପଥି, ଉପସଭାପତି ସତ୍ୟସୁନ୍ଦର ଭଞ୍ଜ, କୋଷାଧ୍ୟକ୍ଷ ପ୍ରକାଶ ନେପାକଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକାରୀ କମିଟିରେ ଏକ୍ସ ଅଫିସିଓ ସଦସ୍ୟ ଭାବେ ପୂର୍ବତନ ସଭାପତି ଡ.ଅଭିମନ୍ୟୁ ମିଶ୍ର, ପୂର୍ବତନ ସଂପାଦକ ଅରବିନ୍ଦ ଦାସ ମନୋନୀତ ହୋଇଥିବା ବେଳେ ଡ.ଲକ୍ଷ୍ମୀକାନ୍ତ ମହାପାତ୍ର, ଡ.ଶ୍ରୀକର ମିଶ୍ର ଓ ସୁଧୀର ଚାନ୍ଦ କାର୍ଯ୍ୟକାରିଣୀର ନିୟମିତ ସଭ୍ୟ ହୋଇଥିଲେ । କୁଳସଚିବ ଡ.ଦୁର୍ଗାପ୍ରସନ୍ନ ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ମନୋନୀତ କରାଯାଇଥିଲା ।   

jittmm
Leave A Reply

Your email address will not be published.