ବଲାଙ୍ଗିର, (କେପିଏନ୍ଏସ୍) : ସମାପ୍ତ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାର ଫଳାଫଳରେ ବିଜେଡ଼ିର ବାଜିମାତ୍ ଜିଲ୍ଲା ରାଜନୀତିକୁ ସର୍ଗରମ୍ କରି ପକାଇଛି । ଏବେ ପୌର ପରିଷଦ ନିର୍ବାଚନର ବିଗୁଲ୍ ବାଜି ସାରିଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀପତ୍ର ଦାଖଲ୍ ପ୍ରକ୍ରିୟା । ତେବେ ବିଜେଡ଼ିର ବୋବାଲ୍ ବାଜିମାତ୍ ଦୃଷ୍ଟିରୁ ପ୍ରାର୍ଥୀମାନେ ବିଜେଡ଼ି ମୁହାଁ ହୋଇଥିବା ନଜରକୁ ଆସିଛି । ପୌର ପରିଷଦ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଜେଡ଼ି ଶିବିରରେ ଏବେ ଲମ୍ବା ଲାଇନ୍ ଲାଗିଥିବା ଆଲୋଚନା ହେଉଛି । ବିଜେଡ଼ି ଟିକେଟ୍ ଆଶାୟୀମାନେ ଏବେ ଜିଲ୍ଲା ବିଜେଡ଼ି ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନିଘା ରଖିଛନ୍ତି । ୨୧ ୱାର୍ଡ ବିଶିଷ୍ଟ ବଲାଙ୍ଗିର ପୌର ପରିଷଦର କେତୋଟି ୱାର୍ଡ ପାଇଁ ପ୍ରାର୍ଥୀ ଚୟନ କରାଯାଇ ସାରିଥିବା ଆଲୋଚନା ହେଉଥିଲେ ମଧ୍ୟ ଏଯାଏଁ ସଂପୂର୍ଣ୍ଣ ସ୍ପଷ୍ଟ ଜଣାପଡ଼ିନାହିଁ କିଏ କେଉଁ ୱାର୍ଡରୁ ପ୍ରାର୍ଥୀ ହେଉଛନ୍ତି । ଅନ୍ୟପକ୍ଷରେ ଚଳିତ ଥର ପୌର ନିର୍ବାଚନରେ ସିଧାସଳଖ ପୌର ଅଧ୍ୟକ୍ଷ ପାଇଁ ପୌରାଂଚଳବାସୀ ଭୋଟ୍ ଦେବାର ବ୍ୟବସ୍ଥା ହୋଇଥିବା ଯୋଗୁଁ ଅଧ୍ୟକ୍ଷ ପ୍ରାର୍ଥୀ ହେବାକୁ ମଧ୍ୟ ଦଳୀୟ ନେତାଙ୍କ ମଧ୍ୟରେ ଜବର୍ଦସ୍ତ କସରତ ଆରମ୍ଭ ହୋଇଥିବା ଆଲୋଚନା ହେଉଛି ।