ରୁଷ ଭାରତ ସହ ଏକମତ ହେଲା : ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବନ୍ଦ ହେବା ଭଳି ମନେ ହେଉନାହିଁ । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ପରେ ୪ ଜଣ ମନ୍ତ୍ରୀ ୟୁକ୍ରେନର ପଡୋଶୀ ଦେଶରେ ପହଞ୍ଚିଛନ୍ତି । ଜ୍ୟୋତିରାଦିତ୍ୟ ସିଂଧିଆ ରୋମାନିଆରେ ପହଞ୍ଚିଥିବା ଭାରତୀୟ ଛାତ୍ରମାନଙ୍କୁ ଭେଟି ସେମାନଙ୍କୁ ନିଶ୍ଚିତ କରିଥିଲେ ଯେ, ଭାରତ ସରକାର ସମସ୍ତ ଛାତ୍ରଙ୍କୁ ଏକ ସୁରକ୍ଷିତ ନିଜ ଦେଶକୁ ନେଇଯିବେ । ଏହା ବ୍ୟତୀତ ଭି.କେ ସିଂ ଏବଂ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଛାତ୍ରମାନଙ୍କୁ ଭେଟି ସମସ୍ତ ସୁବିଧା ସୁନିଶ୍ଚିତ କରିଥିଲେ । ଏପଟେ ରୁଷ ଆକ୍ରମଣ ବନ୍ଦ କରିବାର ନାମ ନେଉନାହିଁ । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆମେରିକାର ଯୁଦ୍ଧ ବିମାନ ମାଗିଛନ୍ତି । ୟୁକ୍ରେନର ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ସ୍ଥିତିରେ ରୁଷ ସମ୍ମୁଖରେ ହାର୍‌ ମାନିବେ ନାହିଁ ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ ।

ବୁଧବାର ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ୟୁକ୍ରେନ୍ର ଖାର୍କିଭ ସହରରୁ ଭାରତୀୟ ନାଗରିକଙ୍କ ନିରାପଦ ସ୍ଥାନାନ୍ତର ପାଇଁ ଏହାର ସଶସ୍ତ୍ର ବାହିନୀ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ । ଭାରତରେ ଥିବା ରୁଷ ଦୂତାବାସର ଜଣେ ଅଧିକାରୀ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂକ୍ଷିପ୍ତ ବିବରଣୀ ବିଷୟରେ ସଂକେତ ପ୍ରଦାନ କରିଛନ୍ତି । ମସ୍କୋରେ ଏକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ ଅଭିଯୋଗ କରିଛି ଯେ, ୟୁକ୍ରେନ କର୍ତ୍ତୃପକ୍ଷ ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କୁ ଜବରଦସ୍ତ ଅଟକ ରଖିଛନ୍ତି । ୟୁକ୍ରେନର ଭାରତରେ ଥିବା ରାଷ୍ଟ୍ରଦୂତ ଇଗୋର ପୋଲିଖା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ରୁଷ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ରକ୍ତରେ ଗାଧୋଉଥିବା ୟୁକ୍ରେନ ସେଠାରେ ବିଦେଶୀ ଛାତ୍ରମାନଙ୍କୁ ସାହାଯ୍ୟ କରୁଛି ।

Leave A Reply

Your email address will not be published.