
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ୨୮ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ପୌର ପରିଷଦ ନିର୍ବାଚନ ଘୋଷଣା ପରେ ଆଜିଠୁ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ୧୮ ନମ୍ବର ୱାର୍ଡ ସଭ୍ୟ ପାଇଁ ଏପିପି ଦଳର ଆଭୟ ସାମଲ, ୧୦ ନମ୍ବର ୱାର୍ଡ ସଭ୍ୟ ପାଇଁ ବିଶ୍ୱଜିତ ବିଶ୍ବାଳ, ପପ୍ପୁ ଦାଶଙ୍କ ସମେତ ୮ ଜଣ ନାମାଙ୍କନ ପତ୍ର କିଣିଥିଲେ । ସେହିପରି ୨ ଜଣ ଅଧକ୍ଷ ପଦ ପାଇଁ ନାମାଙ୍କନ ପତ୍ର କିଣି ଥିଲେ । ବରଗଡ଼ ଜିଲ୍ଲାରେ ବରଗଡ଼ ପୌର ପରିଷଦ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଚଳିତ ଥର ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଥିବା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନାମାଙ୍କନ ଫର୍ମ ବିକ୍ରି ଆରମ୍ଭ ହୋଇଛି । ବରଗଡ଼ ମ୍ୟୁନିସିପାଲଟିରେ ୧୯ଟି ୱାର୍ଡ ସଭ୍ୟ ସଭ୍ୟା ଏବଂ ଅଧ୍ୟକ୍ଷା ପଦବୀ ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲିବ । ସେହିପରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୯ ତାରିଖ ସଂପୂର୍ଣ୍ଣ ତାଲିକା ପ୍ରକାଶିତ ହେବ । ୨୪ ତାରିଖ ଦିନ ୭୪ଟି ବୁଥ୍ରେ ଭୋଟ ଗ୍ରହଣ କରାଯିବ । ଗତ ଥର ପରି ଚଳିତ ଥର ମଧ୍ୟ ଇଭିଏମରେ ଭୋଟ ଗ୍ରହଣ କରାଯିବ । ବରଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ବରଗଡ଼ ଉପଜିଲ୍ଲାପାଳ ସୁଭେନ୍ଦୁ ସାମଲ ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ପୌର ପରିଷଦର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ସହକାରୀ ର୍ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ମନୋନୟନ ପତ୍ର ଦାଖଲ ପ୍ରଥମ ଦିନରେ କେହି ଜଣେ ହେଲେ ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ଜିଲ୍ଲା ନିର୍ବାଚନ ସୁପରଭିଜନ ଅଧିକାରୀ ତଥା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଆଜି ନିର୍ବାଚନ କାର୍ଯ୍ୟ ତଦାରଖ କରିଥିଲେ ।