ଲୋଇସିଂହା : ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଅନ୍ତର୍ଗତ ଠାକୁରପାଲି ଗ୍ରାମରେ ୧୧ନଂ. ବୁଥ୍ରେ ସରପଞ୍ଚ ପ୍ରାର୍ଥୀଙ୍କ ବାଲାଟ୍ ପେପର୍ ମୋଡ଼ାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଲେ ସରପଞ୍ଚ ପ୍ରାର୍ଥୀ ଓ ଠାକୁରପାଲି ଗ୍ରାମବାସୀ । ଏହାପରେ ଜିଲ୍ଲା ପ୍ରଶାସନ ତରଫରୁ ସରପଞ୍ଚ ଭୋଟକୁ ସ୍ଥଗିତ ରଖିଥିବା ବେଳେ ୱାର୍ଡ ମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦର ସଭ୍ୟ ଭୋଟ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସରଗାଡ଼ ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଥିବାରୁ ଏଠାରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି । ଗତକାଲି ସକାଳ ୭ଟାରୁ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ସରପଞ୍ଚ ପ୍ରାର୍ଥୀଙ୍କ ବାଲାଟ୍ ପେପର୍ ମୋଡ଼ାରେ ୩ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଦେଖାଯାଉଥିବା ବେଳେ ଅନ୍ୟ ୩ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ଦେଖାଯାଉ ନଥିଲା । ତେଣୁ ପ୍ରିଜାଇଡ଼ିଂ ଅଫିସର କେତେକ ପ୍ରାର୍ଥୀଙ୍କୁ ସୁହାଇଲା ଭଳି ବାଲାଟ୍ ପେପର୍ ମୋଡ଼ି ଥିବାର ଅଭିଯୋଗ ଆଣିଥିଲେ ସରପଞ୍ଚ ପ୍ରାର୍ଥୀ ଲେକରୁ ତ୍ରିପାଠୀ, ସରୋଜ ବେହେରା, ମେଘନାଦ ସାହୁ ଓ ଠାକୁରପାଲି ଗ୍ରାମବାସୀ । ଅଭିଯୋଗ ପାଇ ସେକ୍ଟର ଅଫିସର ଘଟଣାସ୍ଥଳରେ ପହଂଚି ଜିଲ୍ଲା ପ୍ରଶାସନକୁ ସରପଞ୍ଚ ଭୋଟ ସ୍ଥଗିତ ରଖିବା ପାଇଁ ସୂଚନା ଦେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚାଲିଥିବା ତ୍ରିସ୍ତରୀୟ ନିର୍ବାଚନ ଭୋଟକୁ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ନିର୍ଦ୍ଦେଶପରେ ତାରିଖ ନିର୍ଦ୍ଧାରିତ କରି ସରପଞ୍ଚ ପଦବୀ ପାଇଁ ଭୋଟ କରାଯିବ ବୋଲି ବିଡ଼ିଓ ରାମଚନ୍ଦ୍ର କାଡ଼ିଆ ସୂଚନା ଦେଇଛନ୍ତି ।
Prev Post