ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଯାହାଙ୍କ କଣ୍ଠରେ ସ୍ୱୟଂ ସରସ୍ଵତୀ ବିଜେ କରିଥିଲେ ସେହି କଣ୍ଠ ଆଜି ରୁଦ୍ଧ ହୋଇଗଲା । ନୀରବୀ ଗଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର୍ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଜାତୀୟ ଗଣମାଧ୍ୟମରୁ ଲତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି । ଆଜି ସକାଳ ୮ଟା ୧୨ ମିନିଟ୍ରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ମୁମ୍ବାଇର ବ୍ରିଚ୍ କ୍ୟା୍ଡି ହସ୍ପିଟାଲରେ ସେ ଦୀର୍ଘଦୀନ ଧରି ଚିକିତ୍ସିତ ହୋଇଆସୁଥିଲେ । ତେବେ ଆଜି ସେ ଆଖି ବୁଜିଛନ୍ତି । ବର୍ତ୍ତମାନ ହସ୍ପିଟାଲ ସାମନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା । ପ୍ରାୟ ୨୯ ଦିନ ଧରି ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା । ସୁଚନାଯୋଗ୍ୟ ଯେ, ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକର୍ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଆଇସିୟୁରେ ତାଙ୍କୁ ରଖାଯାଇଥିଲା । ସେ ସମୟରେ ତାଙ୍କର କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଇଥିଲା । ହେଲେ ପରେ ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଅବନତି ଘଟିଥିଲା । ତେଣୁ ଭେଣ୍ଟିଲେଟର୍ରେ ନେଇ ରଖାଯାଇଥିଲା । ତେବେ କୋଭିଡ୍ ସହିତ ନିମୋନିଆରେ ମଧ୍ୟ ପୀଡ଼ିତ ଥିଲେ ଲତା । ଆମ ଦେଶର ବିଶ୍ୱ ବିଖ୍ୟାତ କୋକିଳ କଣ୍ଠି ଚଳଚ୍ଚିତ୍ର ଗାୟିକା ଭାରତରତ୍ନ ଲତା ମଙ୍ଗେଶକର୍ଙ୍କର ଆଜି ଦେହାନ୍ତ ହୋଇଯାଇଛି । ଆଉ ଶୁଣି ପାରିବା ନାହିଁ ହୃଦୟକୁ ଛୁଇଁଲା ଭଳି ତାଙ୍କର ସୁଲଳିତ କଣ୍ଠସ୍ୱର । ସାରା ପୃଥିବୀରେ ସବୁଠାରୁ ଅଧିକ ସପ୍ସଖ୍ୟକ ଗୀତ ଗାଇ ସେ ଆମ ଦେଶ ଭାରତକୁ ଗୌରବାନ୍ୱିତ କରିଥିଲେ । ଲତା ଯୁଗର ଅବସାନ ଘଟିଛି । ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି । ସାରାଦେଶରେ ଶୋକର ଲହରୀ, ଦେଶବାସୀ ତାଙ୍କୁ ଝୁରୁଛି । ତାଙ୍କର ବିୟୋଗକୁ ସମ୍ମାନ ଜଣାଇ ଜାତୀୟ ପତାକାକୁ ଦୁଇଦିନ ଧରି ମଥାନତ କରି ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତାଙ୍କର ଏହି ବିୟୋଗରେ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ, ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆଙ୍କ ତତ୍ଵାବଧାନରେ ଦୁଇ ମିନିଟ ନିରବ ପ୍ରାର୍ଥନା ପୂର୍ବକ ଦିବ୍ୟଂଗତ ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶ୍ରଦ୍ଧା ସୁମନ ସ୍ଵରୂପ ଶତ ଶତ ପ୍ରଣାମ ।