ଖପ୍ରାଖୋଲ ପୋଲିସ ପଞ୍ଝାରେ କଫ୍‌ ସିରଫ୍‌ ମାଫିଆ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫ୍‌ ସିରଫ୍‌ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୋଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୋଲିସର ସଫଳ ଗୋଟିଚାଳନା ଯୋଗୁଁ ଗତ ଆଠ ମାସ ଭିତରେ ସ୍ଥାନୀୟ ଅଞ୍ଚଳର କଫ୍‌ ସିରଫ୍‌ ମାଫିଆମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଅଛି । ଗତ କିଛିଦିନ ଧରି ଏହି ବେଆଇନ କଫ୍‌ ସିରଫ୍‌ କାରବାର କମିଥିଲେ ମଧ୍ୟ ପୁଣି ଏହି କାରବାର ଆରମ୍ଭ ହୋଇଥିବା ପୁଲିସକୁ ଖବର ମିଳିଥିଲା । ଏଥିପାଇଁ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ଦିନ ରାତି ଏକାକାର କରିଦେଇଥିଲା । ପୋଲିସର ଟାର୍ଗେଟରେ ଅଭିଯୁକ୍ତ ରହିଥିବା ବେଳେ ଶେଷରେ ପୋଲିସ ପଞ୍ଝାରେ ପଡ଼ିଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ଧଣ୍ଡାମୁଣ୍ଡା ଗ୍ରାମର ସୁକୁମାର ଭୋଇକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ସୁକୁମାର ବହୁ ଦିନରୁ ଏହି କଫ୍‌ ସିରଫ୍‌ କାରବାର କରିଆସୁଥିବା ଜାଣିବାକୁ ମିଳିଛି । ସେ ଏକ ପେସନ ପ୍ରୋ ବାଇକ ନଂ ଓଆର୍‌୦୩ଜି -୫୨୦୭ ଯୋଗେ ଜୁରିଆ ପଟରୁ ଆସୁଥିବା ବେଳେ ବାଞ୍ଜିପାଲିରୁ ସାନଉଡେନ ରାସ୍ତା ମଧ୍ୟରେ ପୋଲିସ ତାକୁ କାବୁ କରିନେଇଥିଲା । ଅଭିଯୁକ୍ତଠାରୁ ୧୫୫ ବୋତଲ କଫ୍‌ ସିରଫ୍‌, ୩୦ଟି ନିଶା ବଟିକା, ଗୋଟିଏ ମୋବାଇଲ ଫୋନ ଏବଂ ପନ୍ଦରଶହ ଟଙ୍କା ପୋଲିସ ଜବତ କରିବା ସହିତ ଆସାମୀକୁ ଗିରଫ କରିଛି । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.