ଜଙ୍ଗଲ ଜମି ପଟ୍ଟା ପାଇଁ ଆନ୍ଦୋଳନ ଚେତାବନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଏମିତି କିଛି ଜାଗା ଅଛି ଚାରିକାନ୍ଥ ମଧ୍ୟରେ ନିଘଞ୍ଚ ବଣ ଜଙ୍ଗଲ ଭିତରେ ସହସହ ବର୍ଷଧରି ଆଦିବାସୀ ଓ ଜନଜାତି ମାନେ ରହିଆସୁଛନ୍ତି । ଏ ଆଦିମ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇଦେବାକୁ କେନ୍ଦ୍ରର ତତ୍କାଳୀନ ୟୁପିଏ ସରକାର ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ମସିହାରେ ପ୍ରଣୟନ କରିଥିଲେ । ହେଲେ ଆଇନ ପ୍ରଣୟନ ହେବାର ପନ୍ଦର ବର୍ଷ ପରେ ମଧ୍ୟ ଜିଲ୍ଲାରେ ରହୁଥିବା ହଜାର ହଜାର ଆଦିବାସୀ ଏବଂ ପାରମ୍ପାରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗେଇ ଦେବାରେ ପ୍ରଶାସନ ବିଫଳ ହୋଇଛି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ (ଜଙ୍ଗଲ ଅଧିକାର ସ୍ୱୀକୃତି)ଆଇନ, ୨୦୦୬ ମସିହାରେ ପ୍ରଣୟନ ହେବାର ପନ୍ଦର ବର୍ଷ ବିତିଗଲାଣି କିନ୍ତୁ ଅଦ୍ୟାବଧି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ମିଳି ପାରିନାହିଁ । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି କ୍ରମରେ ନୂଆପଡା ଉପରେ ନଜର ପକାଯାଇପାରେ । ଜଙ୍ଗଲ ଜମି ପଟ୍ଟା ପାଇଁ ଆନ୍ଦୋଳନ ଚେତାବନୀ ବୋଡେ଼ନ ବ୍ଲକର କୋଟ ଗାଁରେ ଜଙ୍ଗଲ ଜମି ପଟ୍ଟା ପାଇବାକୁ ଥିବା ବନବାସୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକେ ଏଥିରେ ସାମିଲ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ଗୋଷ୍ଠୀ ପଟ୍ଟା ପାଇବାରେ ଅସୁବିଧା ସୃଷ୍ଟି ହେଉଥିବାରୁ ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା । ଉକ୍ତ ବୈଠକରେ ସ୍ଥାନୀୟ ବନପାଳ ଓ ଅନ୍ୟ ପଦାଧିକାରୀ ଯୋଗଦେଇ ସମସ୍ୟା ବୁଝିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଇନ ଅନୁଯାୟୀ କୌଣସି ଲୋକ କିମ୍ବା ସମ୍ପ୍ରଦାୟ ଯିଏ ୧୩ ଡିସେମ୍ବର ୨୦୦୫ମସିହା ପୂର୍ବରୁ ତିନି ପିଢ଼ି ଧରି ଜଙ୍ଗଲରେ ରହି ଆସୁଛନ୍ତି ଓ ଜଙ୍ଗଲ ଜମି ଉପରେ ଜୀବନ ଜୀବିକା ପାଇଁ ନିର୍ଭରଶୀଳ ଅଟନ୍ତି ସେମାନେ ଉକ୍ତ ଜମିର ପଟ୍ଟା ପାଇବା ପାଇଁ ହକଦାର ରହିଛନ୍ତି । ଏହାଦ୍ୱାରା ଜଙ୍ଗଲରେ ବାସ କରୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଅଧିକାରର ସୁରକ୍ଷା ସହ ଜୈବ ବିବିଧତାର ଚିରନ୍ତନ ବ୍ୟବହାର, ଜଙ୍ଗଲ ସୁରକ୍ଷା, ପରିବେଶ ସନ୍ତୁଳନ ଆଦି ହୋଇପାରିବ । ଏନେଇ ବୋଡେ଼ନ ବନପାଳ ଦୁର୍ୟ୍ୟୋଧନ ଦୀକ୍ଷିତ ଓ ଡବ୍ଲ୍ୟୁଇଓ ହିମାଂଶୁ ଶେଖର କୁମ୍ଭାର ଅତିଶୀଘ୍ର ଯୋଗ୍ୟ ହିତାଧିକାରୀ ପଟ୍ଟା ପାଇପାରିବେ ବୋଲି କହିଥିଲେ ।

Leave A Reply

Your email address will not be published.