ଅଦିନିଆ ବର୍ଷାରେ ନୁନିଆପାଲିରୁ ଖଲିଆପାଲି ରାସ୍ତା ଅତିି ଶୋଚନୀୟ : ପକ୍କା ରାସ୍ତା ପାଇଁ ଦାବୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଡୁଡୁକା ବ୍ଲକ ନୁନିଆପାଲି ପଂଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ରାସ୍ତା ଅସରାଏ ବର୍ଷା ହେଲେ ବେହାଲ ହୋଇଯାଉଥିବା ଅଭିଯୋଗ ହେଉଛି । ସ୍ୱାଧୀନତା ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଅଂଚଳବାସୀ ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି । ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଂଚଳବାସୀ ପ୍ରକାଶ କରନ୍ତି । ସୂଚନା ଅନୁସାରେ ଜଂଗଲ ଓ ପାହାଡ଼ ଘେରା ଖଲିଆପାଲି ଗ୍ରାମ ସବୁବେଳେ ଚର୍ଚାରେ କେତେବେଳେ ହାତୀପଲ ତ କେତେବେଳେ ବାରାହ ଆକ୍ରମଣ କରି ଫସଲହାନୀ କରିଥାନ୍ତି । ବନ୍ୟପ୍ରାଣୀଙ୍କ କବଳରୁ ଗ୍ରାମବାସୀ ନିସ୍ତାର ପାଉନଥିବା ବେଳେ ଏବେ ରାସ୍ତା ପାଇଁ ଗ୍ରାମବାସୀଙ୍କ ଅବସ୍ଥା ସାଂଘାତିକ । ନୁନିଆପାଲିରୁ ଖଲିଆପାଲିକୁ ୩ କି.ମି. ରାସ୍ତାରେ ଛାତ୍ରଛାତ୍ରୀ କାଦୁଅ ପାଣିରେ ସ୍କୁଲକୁ ଯିବାଆସିବା କରୁଛନ୍ତି । ଉକ୍ତ ବିଷୟରେ ଅଂଚଳର କିଛି ଯୁବଗୋଷ୍ଠୀ ଆଗଲପୁର ବିଡିଓ ଶଂକର କେରକେଟାଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଦି ରାସ୍ତା ତିଆରି ନହୁଏ ତା’ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.