ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

● ସଂସଦର କେନ୍ଦ୍ରୀୟ ହଲ ଠାରେ ସମ୍ବିଧାନ ଦିବସ କାର୍ୟ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ
● ବିଜ୍ଞାନ ଭବନ ଠାରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ ସମାରୋହକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ୨୬ ତାରିଖରେ ଦେଶ ସମ୍ବିଧାନ ଦିବସ ପାଳନ କରିବ । ୧୯୪୯ ମସିହା ଏହି ତାରିଖରେ ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା । ଏହି ଐତିହାସିକ ଦିବସର ସ୍ମୃତିଚାରଣ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆଧାରରେ ୨୦୧୫ ଠାରୁ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଉଛି । ଏପରି ପରିକଳ୍ପନା ପଛରେ ଅତୀତର ଆଉ ଏକ କାରଣ ମଧ୍ୟ ରହିଛି । ୨୦୧୦ରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ସମ୍ବିଧାନ ଗୌରବ ଯାତ୍ରା” ଆୟୋଜନ କରିଥିଲେ । ଚଳିତ ବର୍ଷ ସମ୍ବିଧାନ ଦିବସ ପାଳନ କରାଯିବାର ଏକ ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୬, ୨୦୨୧ରେ ସଂସଦ ଭବନ ଏବଂ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜନ ହେବାକୁ ଥିବା କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । ସଂସଦ ଭବନରେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ ଏବଂ ଏହା ସଂସଦର କେନ୍ଦ୍ରୀୟ ସଭାଗୃହରେ ଅନୁଷ୍ଠିତ ହେବ । ମାନନୀୟ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତି ଏଥିରେ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ, ସାରା ଦେଶ ତାଙ୍କ ସହିତ ସମ୍ବିଧାନର ମୁଖବନ୍ଧ ପାଠ କରିବ । ମାନନୀୟ ରାଷ୍ଟ୍ରପତି ସମ୍ବିଧାନ ସଭା ଅଭିଭାଷଣଗୁଡ଼ିକର ଡିଜିଟାଲ ସଂସ୍କରଣ, ଭାରତୀୟ ସମ୍ବିଧାନର ହସ୍ତଲିଖିତ ଡିଜିଟାଲ ସଂସ୍କରଣ ଏବଂ ବର୍ତ୍ତମାନ ସୁଦ୍ଧା ହୋଇଥିବା ସମସ୍ତ ସଂଶୋଧନ ସହିତ ସମ୍ବିଧାନର ଆଧୁନିକତମ ସଂସ୍କରଣକୁ ଉନ୍ମୋଚନ କରିବେ । ସେ ‘ସାମ୍ବିଧାନିକ ଗଣତନ୍ତ୍ର ଉପରେ ଅନଲାଇନ ପ୍ରଶ୍ନୋତ୍ତର’ ପ୍ରତିଯୋଗିତାର ମଧ୍ୟ ଉଦଘାଟନ କରିବେ । ନୂଆଦିଲ୍ଲୀର ବିଜ୍ଞାନ ଭବନସ୍ଥିତ ପ୍ଲେନାରୀ ହଲ୍ ଠାରେ ଅପରାହ୍ନ ୫ଟା ୩୦ ମିନିଟ୍ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ସମ୍ବିଧାନ ଦିବସ ଆୟୋଜନ କରାଯିବ । ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ବିଚାରପତି, ସୋଲିସିଟର ଜେନେରାଲ ଏବଂ ଆଇନ କ୍ଷେତ୍ରର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କ ସମାରୋହକୁ ମଧ୍ୟ ସମ୍ବୋଧିତ କରିବେ ।

Leave A Reply

Your email address will not be published.