ପକ୍ଷୀମାନବ ଡଃ ସଲିମ୍ ଅଲ୍ଲିଙ୍କ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରବାଦ ପୁରୁଷ ପକ୍ଷୀମାନବ ଭାବେ ପରିଚିତ ଡଃ ସଲିମ୍ ଅଲ୍ଲିଙ୍କ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁରର ନଦୀ ସଂଗମଠାରେ ଜିଲ୍ଲା ପକ୍ଷୀ ସୁରକ୍ଷା ସଂଗଠନ ପକ୍ଷରୁ ବେଣୁଧର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ସୁଶୀଲ ତ୍ରିପାଠୀ ଓ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଉମାକାନ୍ତ ନାଗ ଅତିଥିଭାବେ ଯୋଗଦେଇ ଦିବଂଗତ ପକ୍ଷୀମାନବ ଡଃ ସଲିମ୍ ଅଲ୍ଲିଙ୍କ ପକ୍ଷୀପ୍ରେମ ଓ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବାବେଳେ ପକ୍ଷୀଙ୍କ ଜୀବନ ଚର୍ଯ୍ୟା ଓ ସୁରକ୍ଷାକୁ ନେଇ ଆଲୋଚନା କରିଥିଲେ । ବିଶେଷ କରି ଆଜିର ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ସବୁଜ ଭୂଖଣ୍ଡ ସମେତ ମହାନଦୀ ଶଯ୍ୟା ବିଦେଶାଗତ ପକ୍ଷୀଙ୍କ ନାନ୍ଦନିକ ଆବାସସ୍ଥଳୀ ଭାବେ ପରିଚିତ ହେଉଥିବାବେଳେ ଶୀତ ଋତୁରେ ଅନେକ ନିଆରା ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ସୂଚନା ଦେଇଥିଲେ । ୨୫୪ଟି ବିଦେଶଗତ ପକ୍ଷୀଙ୍କୁ ନେଇ ସୁବର୍ଣ୍ଣପୁର ରାଜ୍ୟର ୬ଷ୍ଠ ସ୍ଥାନରେ ରହିଥିବାବେଳେ ବିନିକା ୧୭୧ଟି ପକ୍ଷୀଙ୍କୁ ଚିହ୍ନଟ କରି ୮ମ ସ୍ଥାନରେ ରହିଛି । “ପକ୍ଷୀ ପାଇଁ ଦିନଟିଏ” ଭାବେ ପାଳିତ ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଯୁବ ପକ୍ଷୀପ୍ରେମୀମାନେ ଯୋଗଦେଇ ପକ୍ଷୀଙ୍କ ସୁରକ୍ଷାକୁ ନେଇ ଏକ ପଦଯାତ୍ରାରେ ଜନ ସଚେତନତା ସୃଷ୍ଟି କରିଥିଲେ । ପକ୍ଷୀଙ୍କ ସୁରକ୍ଷା ବାର୍ତ୍ତାରେ ଆୟୋଜିତ ଅଭିଯାନରେ ପକ୍ଷୀପ୍ରେମୀ ଦେବାଶିଷ ସୁବୁଦ୍ଧି, ପିନାକୀ ପଣ୍ଡା, ନରେନ ମଲ୍ଲିକ, ପରେଶ ମେହେର, ସୁମିତ ଶତପଥୀ, ଅଭିଜିତ ମିଶ୍ର, ଗୌରବ ପାଢୀ, କାହ୍ନା ନାଏକ, ସଦାଶିବ ପଧାନ ଓ ଅର୍ପିତ ପଣ୍ଡା ପ୍ରମୁଖ ଯୁବ ପକ୍ଷୀପ୍ରେମୀମାନେ ଯୋଗଦେଇଥିବା ବେଳେ ନଦୀଶଯ୍ୟାର ସଂଗମସ୍ଥଳୀରେ ପକ୍ଷୀଙ୍କ ଫଟୋଗ୍ରାଫି କରିଥିଲେ ।

Leave A Reply

Your email address will not be published.