ଅସମ୍ପୂର୍ଣ୍ଣ ଡ୍ରେନ ସମସ୍ୟାକୁ ନେଇ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ଜଗନ୍ନାଥ ଛକ ନିକଟ ବରଫ କଳଠାରୁ ଲିମିବନ୍ଧ ରାସ୍ତା ପର୍ଯ୍ୟନ୍ତ ନିର୍ମାଣାଧିନ ଡ୍ରେନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ସିନାପାଲି ବିଡ଼ିଓଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଡ୍ରେନ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ହେତୁ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଉକ୍ତ କାର୍ଯ୍ୟ ଆରମ୍ଭରୁ ଅତି ନିମ୍ନମାନର ସିମେଣ୍ଟ, ମେଟାଲ ବ୍ୟବହାର କରି ମଇଳା ପାଣିରେ ସିମେଣ୍ଟ ମିଳାଇ କାର୍ଯ୍ୟ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସ୍ଥାନୀୟ ଲୋକ ପ୍ରତିବାଦ କଲେ ସେମାନଙ୍କୁ ଅନ୍ୟ ଲୋକଙ୍କ ଦ୍ୱାରା ମୁହଁ ବନ୍ଦ କରାଯାଉଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଆଜକୁ ଛଅ ମାସ ବିତିଯାଇଥିଲେ ବି ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଦିଆଯାଇଛି । ଏହି ଡ୍ରେନ ୫/୬ ଫୁଟ ଗଭୀର ହୋଇଥିବା ବେଳେ ଦେଢ଼ ଫୁଟ ଚଉଡା ଅଛି । ଡ୍ରେନ ନିର୍ମାଣ ସଠିକ ଭାବେ ହୋଇନଥିବାରୁ ସବୁବେଳେ ଡ୍ରେନ ମଧ୍ୟରେ ୨ରୁ ୩ ଫୁଟ ମଇଳା ପାଣି ଜମି ରହୁଛି । ଦୀର୍ଘଦିନ ମଇଳା ପାଣି ଜମି ଦୁର୍ଗନ୍ଧ ହେବା ଦ୍ୱାରା ସ୍ଥାନୀୟ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି । ଏହି ଦୁର୍ଗନ୍ଧ ପାଣିରେ ଅନେକ ପ୍ରକାର ମଶା, ମାଛି ଓ ଅନ୍ୟାନ୍ୟ ସରୀସୃପ ବସାବାନ୍ଧୁଛନ୍ତି । ସ୍ଥାନୀୟ ଲୋକେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି । ଏତତ୍‌ ବ୍ୟତୀତ ଡ୍ରେନରେ ଢ଼ାଙ୍କୁଣୀ ନଥିବାରୁ ଅନେକ ସମୟରେ ଲୋକେ ଡ୍ରେନରେ ଖସିପଡିବା ସହିତ ଗାଈଗୋରୁ ମଧ୍ୟ ଖସି ପଡୁଛନ୍ତି । ଏ ବିଷୟକୁ ନେଇ ବାରମ୍ବାର ଅବଗତ କରାଯାଉଥିଲେ ବି ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଉକ୍ତ ଡ୍ରେନ ସମସ୍ୟାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି ସ୍ଥାନୀୟ ଲୋକେ ସିନାପାଲି ବିଡ଼ିଓ ସଦାଶିବ ନାୟକଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏ ନେଇ ସିନାପାଲି ବିଡ଼ିଓ ଶ୍ରୀ ନାୟକଙ୍କୁ ପଚାରିବାରୁ ଦାବୀପତ୍ର ଏବଂ ଇଷ୍ଟିମେଟ ତୁରନ୍ତ ପ୍ରେରଣ କରିଦେଇଛି, ପଇସା ଆସିଲେ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ନରହରି ମେହେର, ଖୁସିରାମ ମେହେର, ଦୈତାରି ମେହେର, ଜିତେନ୍ଦ୍ର ମେହେର, ଈଶ୍ୱର ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.