- ଶିକ୍ଷକ ଆବଶ୍ୟକତା ୪୮୮, ଅଛନ୍ତି ୩୮୬
ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ହେଲା ଦେଓଗାଁ ବ୍ଳକରେ ଶିକ୍ଷକ ପଦବୀ ଖାଲି ଅଛି । କ୍ରମଶଃ ଭାବେ ସ୍କୁଲ ସଂଖ୍ୟା ସହ ଛାତ୍ରଛାତ୍ରୀ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ଶିକ୍ଷକ ସଂଖ୍ୟା ବୃଦ୍ଧି ପାଉନାହିଁ । ଅପର ପକ୍ଷେ ଦେଓଗାଁ ବ୍ଳକର ୩୫ ଜଣ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି ଦେଇ ଖୁସି କରିଥିବା ଜଣାପଡ଼ିଛି । ଶିକ୍ଷା ବିଭାଗ ପକ୍ଷରୁ ପାଇଥିବା ଖବର ଅନୁସାରେ ଦେଓଗାଁ ବ୍ଳକରେ ୬୨ଟି ପ୍ରାଥମିକ ଓ ୬୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ୬୨ଟି ପ୍ରାଥମିକ ମଧ୍ୟରୁ ମାତ୍ର ୧୦ଟି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବା ବେଳେ ୫୨ଟି ସ୍କୁଲରେ ପ୍ରଧାନ ଶିକ୍ଷକ ନାହିଁ । ସେହିପରି ୬୭ଟି ଉଚ୍ଚ ପ୍ରାଥମିକ ବଦ୍ୟାଳୟ ମଧ୍ୟରୁ ୧୨ଟି ସ୍କୁଲରେ ପ୍ରଧାନ ଶିକ୍ଷକ ଥିବା ବେଳେ ୪୭ଟି ସ୍କୁଲରେ ପ୍ରଧାନ ଶିକ୍ଷକ ନାହିଁ । ସୋମବାର ଦିନ ଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ୧୧ଜଣ ୫ଲେଭେଲ ଶିକ୍ଷକଙ୍କୁ ପଦୋନ୍ନତି କରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି କରିବାକୁ ନିର୍ଦେଶ ଦିଆଯାଇଥିଲା । ହେଲେ ତନ୍ମଧ୍ୟରୁ ଦେଓଗାଁ ନୋଡାଲ ସ୍କୁଲର ଜୋତ୍ସାଞ୍ଜଳୀ ସାହୁଙ୍କୁ କନ୍ଧପାଲି, କୁମୁରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ରଜନୀ ବଗର୍ତ୍ତିଙ୍କୁ ବରାହକନା ପ୍ରାଥମିକ ବିଦ୍ୟାଳୟ, ନାଇକେନଶିରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତୀ ଜେତ୍ସା ଦାଶଙ୍କୁ ସାଗରପାଲି ପ୍ରାଥମିକ ବିଦ୍ୟାଳୟ ଓ ସାଲେପାଲି ସ୍କୁଲର କୈଳାଶ କର୍ତ୍ତି କୁଲିହାବାହାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି କରାଯାଇଛି । ମୋଟ ନିଯୁକ୍ତି କରାଯାଇଥିବା ୧୧ଜଣ ଶିକ୍ଷକ ମଧ୍ୟରୁ ୭ଜଣ ଶିକ୍ଷକ ଏହି ନିୟୁକ୍ତିକୁ ଗ୍ରହଣ କରି ନଥିବା ଲିଖିତ ଭାବେ ଜଣାଇଥିବାର ଜଣାପଡ଼ିଛି । ସେହିପରି ୨୩ଜଣ ଶିକ୍ଷକଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି କରାଯାଇଛି । ମୋଟ ୩୫ଜଣ ଶିକ୍ଷକଙ୍କୁ ପଦୋନ୍ନତି କିନ୍ତୁ ୭ ଜଣ ଏହାକୁ ଗ୍ରହଣ କରି ନାହିଁ । ମୋଟ ୨୮ଜଣ ପ୍ରଧାନ ଶିକ୍ଷକ ମାନ୍ୟତା ପାଇଛନ୍ତି । ଦେଓଗାଁ ବ୍ଳକରେ ୧୦୨ ଜଣ ଶିକ୍ଷକ ଆବଶ୍ୟକତା ସହ ୧୦୭ଜଣ ପ୍ରଧାନ ଶିକ୍ଷକ ପଦବୀ ଖାଲି ଥିବା ବେଳେ ନୂଆଁ ଶିକ୍ଷକ ନିଯୁକ୍ତି ନ କରି କେବଳ ୨୮ଜଣ ପ୍ରଧାନ ଶିକ୍ଷକ ପୂରଣ କରି ଶିକ୍ଷା ବିଭାଗ ଓ ପଦୋନ୍ନତି ପାିଥିବା ଶିକ୍ଷକ ଖୁସି ହେଲେ ଶିକ୍ଷା ଦାନରେ କେତେ ବିକାଶ ଘଟିବ ତାହାକୁ ନେଇ ଶିକ୍ଷାପ୍ରେମୀ ମହଲରେ ଆଲୋଚନା ଆରମ୍ଭ ହୋଇଛି ।