jayashree

ମଧ୍ୟାହ୍ନ ଭୋଜନ ଚାଉଳ ତଥା ଅର୍ଥ ଆତ୍ମସାତ ଅଭିଯୋଗ କରି ଧାରଣା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ଥ ମାକ୍ରିପଡା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବ୍ୟାପକ ପରିମାଣରେ ଅର୍ଥ ହେରଫେର କରିବା, ମଧ୍ୟାହ୍ନ ଭୋଜନର ଅର୍ଥ ତଥା ଚାଉଳ ବାଟମାରଣା କରିଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀ ତଥା ଅବିଭାବକମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍କୁଲର ମୁଖ୍ୟ ଗେଟ୍‌କୁ ତାଲା ମାରି ସ୍କୁଲ ବାହାରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରଧାନଶିକ୍ଷକ ସାଧୁ ଚନ୍ଦ୍ର ଛତରଙ୍କ ନିଲମ୍ବନ ଦାବୀ କରିଥିଲେ । ସୂଚନା ଯୋଗ୍ୟ ଯେ, ମହାମାରୀ କରୋନା ସମୟରେ ସରକାର ସ୍କୁଲ ପିଲାମାନଙ୍କୁ ଶୁଖା ଖାଦ୍ୟ ବଣ୍ଟନ କରିବା ସହ ପିଲାମାନଙ୍କ ସ୍କୁଲ ବନ୍ଦ ରହିଥିବାରୁ ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ନିର୍ଦେଶ ଦେଇ ଅର୍ଥ ପ୍ରଦାନ କରିଥିଲେ । ହେଲେ ମାକ୍ରିପଡାର ପ୍ରଧାନ ଶିକ୍ଷକ ସ୍କୁଲ ପିଲାମାନଙ୍କୁ ଚାଉଳ ବଣ୍ଟନ ନ କରି ନିଜେ ଆତ୍ମସାତ କରିବା ସହ ଆସିଥିବା ଅନୁଦାନକୁ ମଧ୍ୟ ବଡ଼ ଭାଗ ହଡ଼ପ କରିଥିବା ଅଭିଯୋଗ କରି ଏହାର ଉପଯୁକ୍ତ ତଦନ୍ତ ଦାବୀ ନେଇ ଟିଟିଲାଗଡ଼ ଶିକ୍ଷା ଅଧିକାରୀ, ଉପଜିଲ୍ଲାପାଳ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଜିଲ୍ଲା ପ୍ରଶାସନ ବିରୋଧରେ ତଥା ସ୍କୁଲର ପ୍ରଧାନ ଶିକ୍ଷକ ସାଧୁ ଚନ୍ଦ୍ର ଛତରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଏବଂ ନାରାବାଜି ଦେବା ସହ ପ୍ଲା କାର୍ଡ ଧରି ସ୍କୁଲ ମୁଖ୍ୟ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ କରିବା ସହ ସ୍କୁଲକୁ ଆସୁଥିବା ବିଭିନ୍ନ ଅନୁଦାନର ମଧ୍ୟ ତଦନ୍ତ କରିବାକୁ ଗ୍ରାମବାସୀ, ଅଭିଭାବକ ତଥା ଛାତ୍ରଛାତ୍ରୀମାନେ ଦାବୀ କରିଛନ୍ତି । ସ୍କୁଲରେ ଅଭାବନୀୟ ପରିସ୍ଥିତି ଦେଖା ଦେଇଥିବାରୁ ଏହାର ତଦନ୍ତ ପାଇଁ ଟିଟିଲାଗଡ଼ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ କୋଦଣ୍ଡ ଧର ମାକ୍ରିପଡା ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଅଭିଯୋଗକାରୀ ଛାତ୍ର ଛାତ୍ରୀ ତଥା ସେମାନଙ୍କ ଅବିଭାବକମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଗ୍ରାମବାସୀମାନେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଦାବୀ କରିଛନ୍ତି ।

Leave A Reply

Your email address will not be published.