pakka

ୟୁପି ଲଖିମ୍‌ପୁରଠାରେ କୃଷକଙ୍କ ହତ୍ୟା ଘଟଣାକୁ ମିଳିତ କୃଷକ ସଂଗଠନର ନିନ୍ଦା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତର ପ୍ରଦେଶର ଲଖିମ୍‌ପୁରଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗୁଳିଚାଳନା ଓ ଗାଡିରେ ଦଳିଦେଇ ହତ୍ୟା ଘଟଣାକୁ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ମିଳିତ କୃଷକ ସଙ୍ଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ବିଜେପି ମନ୍ତ୍ରୀଙ୍କ ପୁଅ ଏବଂ ଗୁଣ୍ଡା ସମର୍ଥକମାନେ ଶାନ୍ତିପୂର୍ଣ୍ଣ କଳା ପତାକା ପ୍ରଦର୍ଶନ କରି ଗଣତାନ୍ତ୍ରିକ ବିରୋଧ କରୁଥିବା ଚାଷୀମାନଙ୍କୁ ପଛପଟୁ ଗାଡି ଚଢ଼ାଇ ଦେବା ଘଟଣା ସ୍ୱାଧୀନ ଭାରତରେ ଏକ କଳା ଅଧ୍ୟାୟ ଭାବେ ଚିରଦିନ ରହିଗଲା । ବ୍ରିଟିଶମାନଙ୍କର ଜୁଲୁମ ଅତ୍ୟାଚାରଠାରୁ ସ୍ୱାଧୀନ ଭାରତର ପୁଞ୍ଜିବାଦୀ ଭାଜପା ସରକାରର ଜୁଲୁମ୍ ଅତ୍ୟାଚାର ସୀମା ଟପି ଯାଇଛି । ଏହି ଘଟଣାକୁ ଯେତେ ନିନ୍ଦା କରାଗଲେ ତାହା କମ୍ ହେବ । ଶୋକସନ୍ତପ ଚାଷୀ ପରିବାରକୁ ସମବେଦନା ଜଣାଇବାକୁ ଇଚ୍ଛା କରୁଥିବା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖାଯିବା ଏବଂ ଗୃହବନ୍ଦୀ କରାଯିବା ଘଟଣା ସ୍ୱେଚ୍ଛାଚାରୀ ଶାସନର ମୁଖା ଖୋଲିଦେଇଛି । ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ତଦାରଖରେ ତୁରନ୍ତ ଏସ୍‌ଆଇଟି ଗଠନ କରାଯାଇ ତଦନ୍ତ କରାଯିବା, ମନ୍ତ୍ରୀଙ୍କ ଅଭିଯୁକ୍ତ ପୁଅଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ଗିରଫ କରାଯିବା, ହିଂସା ଉଦ୍ରେକକାରୀ ବୟାନବାଜି କରିଥିବା ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବାକୁ ଦାବୀ କରାଯାଇଛି । ମୋଦୀ ସରକାର ଦେଶର ସାଧାରଣ ନାଗରିକ ଓ ଚାଷୀ ଗଣତାନ୍ତ୍ରିକ ଆନ୍ଦୋଳନ କରିବାର ଅଧିକାରକୁ ଦମନ କରିବାର ଚେଷ୍ଠାରୁ ବିରତ ରୁହନ୍ତୁ ବୋଲି ମିଳିତ କୃଷକ ସଙ୍ଗଠନ ପକ୍ଷରୁ ଅରୁଣ ମିଶ୍ର, ଆକାଶ ମିଶ୍ର, ହିମାଂଶୁ ସାହୁ, ରାମନାରାୟଣ ବ୍ରହ୍ମା, ଜତି ପ୍ରଧାନ, ଚଗଲା ପରିଚ୍ଛା, ମଧୁସୂଦନ କ୍ଷେତି, କୌସ୍ତୁଭ ସାହୁ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

3 + 20 =

error: Content is protected !!