pakka

ସୁନ୍ଦରଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନ ଏକ ପ୍ରହସନ : ଭାଜପା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପାଳିକା ଏବଂ ଗ୍ରାମ ପଞ୍ଚାୟତରେ ବଣ୍ଟନ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ଏକ ପ୍ରହସନରେ ପରିଣତ ହୋଇଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଉରକେଲା ପୌରନିଗମ ୱେବସାଇଟ୍‌ରେ ଏହି ଯୋଜନା ସଂପର୍କରେ ବ୍ୟାପକ ପ୍ରଚାର କରିବା ପାଇଁ ଯେଉଁ ବ୍ୟକ୍ତିଙ୍କ ଫଟୋ ସହିତ ପୋଷ୍ଟ କରାଯାଇଛି, ତାହା ଏହି ପରିବାର ପ୍ରତି ଏକ ଉପହାସ ବୋଲି ଭାଜପା ତରଫରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର ୧୫ରେ ରହୁଥିବା ଜନୈକ ସନ୍ତୋଷ ଶତପଥୀଙ୍କୁ ଦିଆଯାଇଥିବା ସ୍ମାର୍ଟକାର୍ଡର ଏକ ଫଟୋ ରାଉରକେଲା ପୌରନିଗମ ତରଫରୁ ନିଜସ୍ୱ ୱେବସାଇଟ୍‌ରେ ଲେଖା ମାଧ୍ୟମରେ ଯଥା ମୋ ପତ୍ନୀର ଦେହ ଖରାପ ରହୁଛି, ଟଙ୍କା ଅଭାବରୁ ଭଲ ହସପିଟାଲରେ ଚିକିତ୍ସା କରିପାରୁନଥିଲି । ହେଲେ ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାରୁ ମୁଁ ମୋ ପତ୍ନୀକୁ ବଡ ହସପିଟାଲକୁ ନେଇ ପାରିବି-ସନ୍ତୋଷ ଶତପଥୀ, ସେକ୍ଟର-୧୫, ରାଉରକେଲା/ସୁସ୍ଥ ଓଡିଶା ବୋଲି ପ୍ରଚାର କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ସନ୍ତୋଷ ଶତପଥୀଙ୍କ ପତ୍ନୀଙ୍କ ଦେହାନ୍ତ ଗତ ଜାନୁଆରୀ ମାସରେ ହୋଇସାରିଛି । ଏଥି ସହିତ ତାଙ୍କୁ ଯେଉଁ କାର୍ଡ୍ ଦିଆଯାଇଛି ଏହା ତାଙ୍କ ମାଆ ସୁଶିଳା ଶତପଥୀଙ୍କ ନାଁରେ ଅଛି । ଯାହାଙ୍କର ଦେହାନ୍ତ ଗତ ୨୦୨୦ରେ ହୋଇସାରିଛି । ତେଣୁ ମୃତ ବ୍ୟକ୍ତି ନାଁରେ ପ୍ରଚାର କରିବା ଏବଂ ମୃତ ବ୍ୟକ୍ତି ନାଁରେ କାର୍ଡ ବଣ୍ଟନ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଏହି ଯୋଜନା ପ୍ରତି ସରକାରଙ୍କ ଆନ୍ତରିକତା ପ୍ରତି ଏକ ବ୍ୟତିକ୍ରମ ବୋଲି ସ୍ୱତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଉ ଏକ ପ୍ରାପ୍ତ ସୂଚନା ମୁତାବକ ବିଶ୍ରା ବ୍ଳକର ମନିପାଣି ଗ୍ରାମର ଜନୈକ ମାହାତୋ ନାମ୍ନୀ ମହିଳା ଏହି କାର୍ଡ୍ ମାଧ୍ୟମରେ ଜେ. ପି ହସପିଟାଲକୁ ଯାଇଥିଲେ । ମାତ୍ର ସେଠାରେ ହସପିଟାଲର କର୍ତ୍ତୃପକ୍ଷ ଏହି କାର୍ଡରେ କିଛି ହୋଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ । ସୂଚନା ଅନୁସାରେ କରୋନା ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଗ୍ରାମରେ ଥିବା ଗ୍ରାମ କଲ୍ୟାଣ ସମିତିକୁ ଏନଏଚଏମ ଦ୍ୱାରା ପ୍ରେରିତ ୧୦ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ଏହି ଅର୍ଥ ଦ୍ୱାରା କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଗ୍ରାମରେ ମାସ୍କ ବଣ୍ଟନ, ଗ୍ରାମକୁ ସାନିଟାରାଇଜ କରିବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦିଆଯାଇଥିବା ବେଳେ ଏହି ଅର୍ଥରୁ ୫ହଜାର ଟଙ୍କା ବିଭିନ୍ନ ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଟେଣ୍ଟ, ଚେୟାର ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଖର୍ଚ୍ଚ କରିବାକୁ ସୁନ୍ଦରଗଡ ସିଡିଏମଓ ପତ୍ର ସଂଖ୍ୟା ୨୭୫୨/ ତା୧୦/୮/୨୧ମାଧ୍ୟମରେ ସମସ୍ତ ବିଡିଓଙ୍କୁ କେଉଁ ଅଧିକାର ବଳରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଭାଜପା ପ୍ରଶ୍ନ କରିବା ସହିତ ଏଭଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଉ ବୋଲି ଦାବୀ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେନାପତିଙ୍କ ସମେତ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ବରିଷ୍ଠ ନେତା ନିହାର ରାୟ, ଜଗବନ୍ଧୁ ବେହେରା, ଗଙ୍ଗାଧର ଦାଶ, ଶଶାଙ୍କ ଜେନା, ସୁବ୍ରତ ପଟ୍ଟନାୟକ, ମଳୟ ମହାପାତ୍ର, ଅଜୟ କଂସାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

thirteen − eleven =

error: Content is protected !!