pakka

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗର୍ଜିଲା କଂଗ୍ରେସ

bbehera
  • ବଲାଙ୍ଗିରବାସୀଙ୍କ ୧୪ ଦଫା ଦାବୀ ପୁରଣ କରନ୍ତୁ ସରକାର – କଂଗ୍ରେସ

ବଲାଙ୍ଗିର, (ଦେବଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ନେଇ ଆଜି ଜିଲ୍ଲା କଂଗ୍ରେସ ଏକ ବିରାଟ ପ୍ରତିବାଦ ସଭା ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରିଛି । ଏହି ପ୍ରତିବାଦ ସଭା ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ସଭାପତିତ୍ୱ କରି ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତ ସମୟରେ ଅନେକ ପ୍ରତିଶୃତି ଦେଇଥାନ୍ତି କିନ୍ତୁ କାର୍ଯ୍ୟକାରୀ ହୁଏ ନାହିଁ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ତାହାର ଜ୍ୱଳନ୍ତ ଉଦାହରଣ । ବିଗତ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ନିଜସ୍ୱ ଜମି ନାହିଁ । ବିନା ଜମିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନବୋର୍ଡ ହୋଇ ରହିବ ବୋଲି ସଭାପତି ଦିଲିପ ବେହେରା ସରକାରଙ୍କୁ ଆକ୍ଷେପ କରିବା ସହ ଏହା ପାଇଁ ୧୫୦ ଏକର ଜମି ଦାବୀ କରିଥିଲେ । ପ୍ରତିବାଦ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ କହିଥିଲେ ବସ ଟର୍ମିନାଲ ନିର୍ମାଣ କରିବା ପାଇଁ ଆଇନଗତ ଲଢେଇ କିଏ ଲଢିଥିଲା, କେବେ ଜମି ମିଳିଥିଲା, କିପରି ଅନୁଦାନ ମିଳିଥିଲା, ଯେଉଁ ରାଜନୈତିକ ଦଳର ଲୋକମାନଙ୍କୁ ଏହା ଜଣାନାହିଁ ସେମାନେ ଆଜି ଦାବୀ କରୁଛନ୍ତି ଯେ ବସ୍‌ ଟର୍ମିନାଲ ସେମାନେ ନିର୍ମାଣ କରିଛନ୍ତି । ଏହା ଏକ ହାସ୍ୟାସ୍ପଦ ଘଟଣା । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଠ ବୋଲି ନିଜକୁ ଦାବୀ କରୁଛନ୍ତି ୨୦୧୪ ମସିହା ପୂର୍ବରୁ ନିରଙ୍କୁଶ କ୍ଷମତା ହାସଲ କରିଥାଇ ସୁଦ୍ଧା ବଲାଙ୍ଗିରକୁ ଏକ ଗାଉଲି ଗାଁ ଭଳି ପରିସ୍ଥିତିରେ ରଖିଥିଲେ କାହିଁକି ? ଜନସାଧାରଣଙ୍କ ତରଫରୁ କଂଗ୍ରେସ ଦଳ ଆଜି ପ୍ରଶ୍ନ ପଚାରୁଛି, ସେ ପରିବାର ତା’ର ଉତ୍ତର ଦିଅନ୍ତୁ । ପ୍ରତିବାଦ ସଭାରେ ବାଏପାସ ନିର୍ମାଣ, ହାଇକୋର୍ଟ ବେଞ୍ଚ ପୁନଃ ନିର୍ମାଣ, ଡବ୍ଲୁଡିସି ମୁଖ୍ୟାଳୟ ବଲାଙ୍ଗିରରେ ସ୍ଥାପନ କରିବା, ୬୫୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ଶୀଘ୍ର ନିର୍ମାଣ କରିବା, ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା, କୃଷିଋଣ ଛାଡ କରିବା, ଶିକ୍ଷକ ଅଧ୍ୟାପକ ପଦବୀ ପୁରଣ କରିବା, ଦେବୋତ୍ତର ଜମି ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବା, ସମସ୍ତ ଧର୍ମର ପୂଜାସ୍ଥଳୀକୁ ସ୍ୱତନ୍ତ୍ର ଅନୁଦାନ କରି ତା’ର ବିକାଶ କରାଇବା, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା, ଭୂମିହୀନଙ୍କୁ ଜମି ଓ ଘର ଯୋଗାଇ ଦେବା, ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ବିଜୟାନନ୍ଦ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ଦାବୀକୁ ଶୀଘ୍ର ପୁରଣ କରନ୍ତୁ ବୋଲି ଉପସ୍ଥିତ ଥିବା କଂଗ୍ରେସ ନେତାମାନେ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ଉପସ୍ଥାପନା କରିବା ସହ ଯଦି ଏ ସବୁ ଦାବୀକୁ ସରକାର ଗ୍ରହଣ ନ କରେ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନ ମୁହା ହେବେ ବୋଲି ଚେତେଇ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ପିସିସି ସଂପାଦକ ଉମାଶଙ୍କର ପଣ୍ଡା, ରାଜିବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ଅଧ୍ୟକ୍ଷ ଅଜୟ ବାଲି, ଯୁବ କଂଗ୍ରେସ ସଭାପତି ପ୍ରେମ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ମହିଳା ସଭାନେତ୍ରୀ ମିଳନୀ ସାହୁ, ବ୍ଲକ ସଭାପତି ଉମାକାନ୍ତ ସାହୁ, ରାମ ପ୍ରସାଦ ମିଶ୍ର, ରାଜ୍ୟ କିଶାନ କଂଗ୍ରେସ ସଂପାଦକ ଚଗଲା ପରିଚ୍ଛା, ଚାଷୀନେତା ସରୋଜ ରଥ, ଯଶୋବନ୍ତି ବଘାର, ବବିତା ସାହୁ, ଆରତିପ୍ରିତି ନାଗ, ଜୁଲୁ ପଟ୍ଟନାୟକ, ସଂଜୟ ମିଶ୍ର, ଲୋପନ ମିଶ୍ର, ନାସିର ଖାନ, ପୂର୍ବ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ଟଙ୍କଧର ଗଡତ୍ୟା, ସୋମନାଥ ପଟେଲ, ବ୍ୟାସଦେବ ନନ୍ଦ, ଟୁଲୁ ସେନ, ବେଟୁନ ସ୍ୱାଇଁ, ଅଜିତ ମହାନନ୍ଦ, ହରି ନନ୍ଦ, ଅନିରୁଦ୍ଧ ବଗର୍ତ୍ତି, ଗଗନ ନାଥ ପ୍ରମୁଖ ଉପସ୍ଥିତ ଥିବା ବେଳେ ଡିସିସି ସଂପାଦକ ସୁଶାନ୍ତ ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

11 + one =

error: Content is protected !!