jayashree

ଟିଟିଲାଗଡ଼ ମାଟି ପାଇଁ ଗର୍ବ ସୁଚିସ୍ମିତା, ତାଙ୍କ ନାଚ ଦେଖିଲେ ବିଭୋର୍‌ ହୋଇ ନାଚନ୍ତି ଦର୍ଶକ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : କଳା ସଂସ୍କୃତି ତଥା ଲୋକନୃତ୍ୟ, ଲୋକବାଦ୍ୟକୁ ନେଇ ପଶ୍ଚିମ ଓଡିଶାବାସୀ ମନରେ ଅନେକ ଉତ୍ସାହ ଭରି ଦେଇଥାଏ ବଲାଙ୍ଗିର ମାଟି । ଭିନ୍ନ ଭିନ୍ନ କଳାକାରଙ୍କ ପାଖରେ ରହିଛି ଅନେକ ପ୍ରତିଭା । କେଉଁ କଳାକାର ନିଜର ପରିବାର ପୋଷଣ ପାଇଁ ଦର୍ଶକଙ୍କ ଆଗରେ କଳା ପ୍ରଦର୍ଶନ କରନ୍ତି ତ’ ଆଉ କିଏ ନିଜର ଖୁସି ପାଇଁ ନିଜର ପ୍ରତିଭା ଲୋକଙ୍କ ଆଗରେ ପ୍ରଦର୍ଶନ କରି ବେଶ୍‌ ଖୁସି ଅନୁଭବ କରନ୍ତି ।

ଏଭଳି ଜଣେ କଳାକାରଙ୍କ କଥା ଆମେ ଆଜି କହୁଛୁ, ଯିଏକି ପେସାରେ ଜଣେ ରେଲୱେ କର୍ମଚାରୀ, ଅଥଚ ନିଶା ତାଙ୍କର ନୃତ୍ୟ ପରିବେଷଣରେ । ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ମାଟିର ଜଣେ ଆଗଧାଡ଼ିର ନୃତ୍ୟଶିଳ୍ପୀ ସୁଚିସ୍ମିତା ଷଡ଼ଙ୍ଗୀ(ସୁଇଟି) । ସେ ଟିଟିଲାଗଡ଼ ମାଟିରେ ଜନ୍ମ ଗ୍ରହଣ କରିଥିବା ବେଳେ ନିଜ କଳା ମାଧ୍ୟମରେ ଟିଟିଲାଗଡ଼ ମାଟି ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ । ରାଜ୍ୟରେ ତଥା ରାଜ୍ୟ ବାହାରେ ନୃତ୍ୟ ପରିବେଷଣ କରି ସେ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କ କଳାକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳେ । ସୁଚିସ୍ମିତାଙ୍କ ପିଲା ବେଳୁ ନୃତ୍ୟ ପ୍ରତି ଆକର୍ଷଣ ରହିଥିଲା । ସ୍କୁଲରୁ ଆରମ୍ଭ କରି କଲେଜ ପଢ଼ା ପର୍ଯ୍ୟନ୍ତ ତାଙ୍କର ପ୍ରତିଭାକୁ ଦର୍ଶକଙ୍କ ଆଗରେ ପରିବେଷଣ କରି ଅନେକ ମାନପତ୍ର, ପୁରସ୍କାର ମଧ୍ୟ ସେ ପାଇଛନ୍ତି । ବାପା ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ ଓ ମାଆ ସୁଜାତା ଷଡ଼ଙ୍ଗୀଙ୍କ କୋଳରେ ସୁଚିସ୍ମିତା ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କର ପରିବାର, ସାଙ୍ଗ ସାଥୀ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥାଏ ତାଙ୍କ କଳାକୁ ନେଇ ।

ସୁଚିସ୍ମିତା ଗୀତ ଗାଇବା, ଝୋଟି ଆଙ୍କିବା, ନୃତ୍ୟ ପରିବେଷଣ କରିବା ଭଳି ଅନେକ ପ୍ରତିଭାର ଅଧିକାରିଣୀ । ତାଙ୍କ ଜେଜେମା’ଙ୍କ ଠାରୁ ପ୍ରେରଣା ପାଇବା ପରେ ଏତେ ଆଗକୁ ଆସି ପାରିଛନ୍ତି ବୋଲି ସେ କୁହନ୍ତି । ସବୁବେଳେ ସୁଚିସ୍ମିତା କହନ୍ତି, ମୁଁ ମୋ ଜେଜେ ମା’ଙ୍କ ହାତ ଧରି ଏତେ ବଡ଼ ସଫଳତା ହାସଲ କରି ପାରିଛି, ଏଣୁ ମୋ ଜେଜେମା’ ମୋ ପ୍ରଥମ ଗୁରୁ । ତାଙ୍କ ମା’ ଓ ବଡ଼ ଭଉଣୀଙ୍କ ସହଯୋଗ ମଧ୍ୟ ରହିଛି ଏହି ସଫଳତା ହାସଲ କରିବା ପଛରେ । ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ନୃତ୍ୟ ଶିଖାଉଛନ୍ତି ସୁଚିସ୍ମିତା । ଟିଟିଲାଗଡ଼ରେ ଏବେ ସେ ରେଲୱେ କର୍ମଚାରୀ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି ।

ଟିଟିଲାଗଡ଼ ଘଣ୍ଟାସୁନି ସ୍କୁଲ, ମହେଶ୍ୱର ହିନ୍ଦୀ ହାଇସ୍କୁଲ ଓ ଟିଟିଲାଗଡ଼ ଡିଏଭି କଲେଜରେ ସେ ପାଠ ପଢିଛନ୍ତି । ଛୋଟ ବେଳେ ସ୍କୁଲ କଲେଜରେ ନୃତ୍ୟ ପରିବେଷଣ କରି ଆସୁଥିଲେ । ଧୀରେ ଧୀରେ ଖୁବ୍‌ ସଫଳତା ହାସଲ କଲେ । ସୁଚିସ୍ମିତା ରେଲୱେ କର୍ମଚାରୀ ଭାବରେ ନିଯୁକ୍ତି ପାଇବା ପରେ ରେଳ ବିଭାଗ ପକ୍ଷରୁ ତାଙ୍କୁ ବାହାର ରାଜ୍ୟରେ ନୃତ୍ୟ ପରିବେଷଣ କରିବା ପାଇଁ ମଧ୍ୟ ସେ ସୁଯୋଗ ପାଇଲେ ଓ ଉଚ୍ଚ ପ୍ରଶଂସିତ ହେଲେ ।

ସୁଚିସ୍ମିତା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, କଲିକତା, ଆସାମ, ବିହାର, ରାଜସ୍ଥାନ, ଗୁଜୁରାଟ, ହରିୟାଣା ଭଳି ଅନେକ ରାଜ୍ୟରେ ତାଙ୍କ ଲୋକ ନୃତ୍ୟ ପରିବେଷଣ କରି ପୁରସ୍କାର ହାସଲ କରି ଟିଟିଲାଗଡ଼ ମାଟିର ପାଇଁ ଗର୍ବ ଆଣିଛନ୍ତି । ତେବେ ଏଭଳି ଜଣେ ପ୍ରତିଭାଙ୍କୁ ଅଞ୍ଚଳରେ ପାଇଥିବା ଯୋଗୁଁ ଟିଟିଲାଗଡ଼ ମାଟି ଧନ୍ୟ ହୋଇଛି ବୋଲି ଲୋକେ କୁହନ୍ତି । ସୁଚିସ୍ମିତା ସମାଜସେବା କ୍ଷେତ୍ରରେ ବି ରୁଚି ରଖିଥିବା ବେଳେ ଅଙ୍ଗଦାନ ଭଳି ମହାନ୍‌ କାମ କରିଛନ୍ତି ।

2 Comments
  1. Amir Sahu says

    Nuakhai Juhar

    1. Koshala Prabaha says

      juhar

Leave A Reply

Your email address will not be published.