ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ଅବସରପ୍ରାପ୍ତ ସୈନିକଙ୍କୁ ସମ୍ୱର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀ ଓ ଇଣ୍ଡିଆ ବୁକ ଅଫ-ରେକର୍ଡରେ ସ୍ଥାନ ପାଇଥିବା ସମ୍ମାନୀତ ଅବସରପ୍ରାପ୍ତ ସୈନିକ ଭୂପେଶ କୁମାର ପଲେଇଙ୍କୁ ଛତ୍ରପୁର ଠାରେ ଆନୁଷ୍ଠାନିକ ଭାବେ ସମ୍ୱର୍ଦ୍ଧନା ଦିଆଯାଇଛି । ପ୍ରକାଶ ଥାଉକି ସ୍ମାର୍ଟଡିଜିଟାଲ କ୍ଲାସ, ବାଦ୍ୟଯନ୍ତ୍ର ଓ ସଙ୍ଗୀତ ମାଧ୍ୟମରେ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ପ୍ରଦାନ କରି ରାଜ୍ୟରେ ଚର୍ଚ୍ଚାରେ ଆସିଥିବା ସଙ୍ଗୀତଜ୍ଞ ତଥା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ସେଠୀ ଯିଏ କି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧୂନା ଅବସ୍ଥାପିତ ଅଛନ୍ତି । ଶ୍ରୀ ସେଠୀ ମହାଶୟ ଇତି ମଧ୍ୟରେ ପବିତ୍ର ଗୁରୁଦିବସ-୨୦୨୧ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଏହା ଯେ, ଗଞ୍ଜାମର ଗୌରବର ଗାଥା ବହନ କରି ଭାରତ ବର୍ଷରେ ଗଞ୍ଜାମର ସଂସ୍କୃତିର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହୋଇଛନ୍ତି । ସେଥିପାଇଁ ଜିଲ୍ଲା ସଦରମହକୁମା ଛତ୍ରପୁର ମାଟି ଆଜି ଗର୍ବିତ । ସେହିପରି ସାଇବର ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାର ନିରାପତ୍ତା ସହ ସାଇବର ଅପରାଧକୁ ରୋକିବା ପାଇଁ ଆବଶ୍ୟକ ଜ୍ଞାନ କୌଶଳ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିବା ସହ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ଅବସରପ୍ରାପ୍ତ ସୈନିକ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ସହରର ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲେଇ ସମ୍ମାନୀତ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲା ଆଜି ଗର୍ବିତ । ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତର ସରପଞ୍ଚ ଓ ଛତ୍ରପୁର ବିଧାୟକଙ୍କ ସୌଜନ୍ୟରେ ଏକ ସମ୍ବର୍ଦ୍ଧନା ସମାରୋହ କଣମଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଏକ ଭବ୍ୟସମାରୋହରେ ଆୟୋଜିତ ହୋଇଥିଲା । ଆୟୋଜକ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉପଢୌକନ ପ୍ରଦାନ କରି ସମ୍ୱର୍ଦ୍ଧନା କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀ ଏବଂ ଅବସରପ୍ରାପ୍ତ ସୈନିକ ଗଞ୍ଜାମ ସହରର ପୁଇଁନ୍ତଲା ଗ୍ରାମର ଭୂପେଶ କୁମାର ପଲେଇଙ୍କ କାର୍ଯ୍ୟ ଦକ୍ଷତା ଓ କୁଶଳତାକୁ ପ୍ରତିପାଦନ କରି ଦୁହିଁଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ, କଣମଣା ସମିତି ସଭ୍ୟା ରଶ୍ମିତା ବେହେରା, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ବି. ସୁଦାମ, ପୂର୍ବତନ ବିଜେଡି ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ କାଉନସିଲର ବି. ରାଜୁ ବାବୁ, ଯୁବ ବିଜେଡ଼ି ଛତ୍ରପୁର ଏନ୍‌ଏସି ସଭାପତି ଟି. ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ଆଇନଜୀବୀ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛାମୁଆ ନେତା ଏବଂ କଣମଣା ଗ୍ରାମପଞ୍ଚାୟତର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶିକ୍ଷକ ଡ଼ଃ ଜେ. କୁର୍ମା ରାଓ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ସୂଚରୁରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.