ଶହ ଶହ ଲୋକ ନିର୍ଭର କରୁଥିବା ରାସ୍ତା କାମ ଅଧା ପନ୍ତରୀଆ କରି ଠିକାଦାର ଛୁ ମାରିଥିବା ଅଭିଯୋଗ : ବାଏପାସ ଛାଡ଼ି ଲମ୍ବା ରାସ୍ତା ମୁହାଁ ଯାତ୍ରୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରୁ ବନ୍ଧପଡ଼ାକୁ ଯାଇଥିବା ପୂର୍ତ୍ତ ବିଭାଗର ରାସ୍ତା କୁତୁର୍ଲା ନିକଟରେ ରାସ୍ତାର ଉଭୟ ପଟକୁ ନବୀକରଣ କରାଯାଉଛି । ସୂଚନା ଅନୁସାରେ ଦୁଇ ମାସରୁ ଅଧିକ ହେଲା କାମ କରୁଥିବା ଠିକାଦାର ରାସ୍ତାର ବିଭିନ୍ନ ସ୍ଥାନରେ ଦୁଇ ପଟରୁ ମାଟି ଖୋଳି ଛୁ ହୋଇଥିବାରୁ ବଲାଙ୍ଗିରରୁ ଟିକ୍ରାପଡ଼ା ଓ ଦେଓଗାଁରୁ ଟିକ୍ରାପଡ଼ାକୁ ଦୁଇ ଚକିଆ ଓ ୪ ଚକିଆ ଯାନରେ ଯିବା ଆସିବା କରୁଥିବା ଯାତ୍ରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏପରି କି କେଉଁ ଅନୁଦାନରୁ କିଏ ଏହି କାମ କରାଉଛି ତାହାର ମଧ୍ୟ କୌଣସି ସୂଚନା ଫଳକ ନାହିଁ ।

ସୂଚନା ଯୋଗ୍ୟ ଯେ, ପ୍ରତିଦିନ ଦେଓଗାଁ ପଟରୁ ବ୍ଳକର ପ୍ରାୟ ୧୩ଟି ପଞ୍ଚାୟତ ସହ ଟିକ୍ରାପଡ଼ା, କଣ୍ଟାବାଞ୍ଜିକୁ ଶହ ଶହ ସଂଖ୍ୟାରେ ଯିବା ଆସିବା କରିଥାନ୍ତି । ଦେଓଗାଁରୁ ପାଟଣାଗଡ ଯିବା ଲୋକେ ମଧ୍ୟ କୁତୁର୍ଲା ଦେଇ ଯିବା ଆସିବା କରିଥାନ୍ତି । ସେହିପରି ବଲାଙ୍ଗିରରୁ ଟିକ୍ରାପଡ଼ା ଭାୟା କୁଡାସିଂହା ଦେଇ ମଧ୍ୟ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ରାସ୍ତା କାମ ଆରମ୍ଭ କରି ବନ୍ଦ କରିଥିବାରୁ ପଥିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଯାତ୍ରୀମାନେ ଲମ୍ବା ରାସ୍ତା ମୁହାଁ ହେବାରେ ଲାଗିଲେଣି । ତେଣୁ ତୁରନ୍ତ ରାସ୍ତା କାମ କରିବାକୁ ଯାତ୍ରୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.