ଜନ ଆଶୀର୍ବାଦ ଯାତ୍ରାକୁ ନେଇ ଘେରିଲା ବିରୋଧୀ କଂଗ୍ରେସ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୨ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ଟିଟିଲାଗଡ ପହଞ୍ଚିଥିଲେ । ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ ବ୍ଲକ ଲୁଥୁର ବନ୍ଧ ଥରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ସ୍ଵାଗତ କରିଥିବା ବେଳେ ମନ୍ତ୍ରୀ ବୈଷ୍ଣବ ପଥ ପ୍ରାନ୍ତ ସଭାରେ ଯୋଗ ଦେଇଥିଲେ । ଏହାକୁ ନେଇ ବିରୋଧୀ ଦଳ କଂଗ୍ରେସ ଘେରିଛି କେନ୍ଦ୍ର ରେଳ ମନ୍ତ୍ରୀ ଓ ବଲାଙ୍ଗିର ସାଂସଦଙ୍କୁ । ଆଜି ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଶ୍ନ କରିଛି ଯେ, ଟିଟିଲାଗଡ଼ରେ ଗତ ତିନି ବର୍ଷ ଧରି ଏକ କେନ୍ଦ୍ରୀୟ ବିଦ୍ୟାଳୟର କାମ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଆରମ୍ଭ ହୋଇ ନାହିଁ । ରାଜ୍ୟ ସରକାରକୁ କେନ୍ଦ୍ର ସରକାର ଦୋଷ ଦେଉଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ସରକାରକୁ ଦୋଷ ଦେଇ ଟିଟିଲାଗଡ଼ବାସୀଙ୍କୁ ପ୍ରତାରଣା କରିଚାଲିଛନ୍ତି । ଆଜି ପର୍ଯ୍ରନ୍ତ କାହିଁକି ଏବଂ କାହା ସ୍ୱାଥରେ ଟିଟିଲାଗଡ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାପନା ହୋଇ ପାରି ନାହିଁ ବୋଲି ବୀରେନ୍ଦ୍ର ବାଗ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଭାରତୀୟ ଗଣତନ୍ତ୍ରରେ ମହାରାଜା ଏବଂ ମହାରାଣୀ ଶବ୍ଦ ଅସାମ୍ବିଧାନିକ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ କାହିଁକି କନକ ବର୍ଦ୍ଧନ ସିଂହଦେଓଙ୍କୁ ମହାରାଜ ଓ ସଂଗୀତା ସିଂହଦେଓଙ୍କୁ ମହାରାଣୀ ବୋଲି ବାରମ୍ବାର ଉଚ୍ଚାରଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ । ଭାରତର ସ୍ଵାଧୀନତା ପରେ ରାଜତନ୍ତ୍ର ଲୁପ୍ତ ହୋଇ ଦେଶରେ ଗଣତନ୍ତ୍ରର ପ୍ରତିଷ୍ଠା ହେଲା କିନ୍ତୁ ଜଣେ ସାଂସଦଙ୍କୁ ବାରମ୍ବାର ମହାରାଣୀ ବୋଲି ସମ୍ବୋଧିତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି । ଏମିତିକି ସାଂସଦ ଟିଟିଲାଗଡ଼ବାସୀଙ୍କ ସହ କୁଠାରଘାତ କରିଛନ୍ତି ବୋଲି ଆଜି ଟିଟିଲାଗଡ଼ ଡାକ ବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବୀରେନ୍ଦ୍ର ବାଗ ଅଭିଯୋଗ କରିଛନ୍ତି । କଂଗ୍ରେସ ଦଳ କହିଛି କଂଗ୍ରେସ ପାଇଁ ଦେଶର ମହାରାଜା ଏବଂ ମହାରାଣୀ ଦେଶର ସାଧାରଣ ଜନତା ଅଟନ୍ତି । ହିନ୍ଦୁ ଧର୍ମର ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ଅବତାର ବୋଲି ଜଣେ ପ୍ରଧାନ ମନ୍ତ୍ରୀଙ୍କୁ ସମ୍ବୋଧିତ କରିବା ଏହା ମୂର୍ଖତାର ପରିଚୟ ଏବଂ ପରିତାପର ବିଷୟ ବୋଲି କଂଗ୍ରେସ କହିଛି । ଏହି ପ୍ରକାରର ତୁଳନା ହିନ୍ଦୁ ଧର୍ମାବଲମ୍ବିଙ୍କ ଭାବନାକୁ କୁଠାରଘାତ କରୁଥିବା ଅଭିଯୋଗ କରିଛି । ଟିଟିଲାଗଡ ଏକ ସର୍ବ ପୁରାତନ ରେଲୱେ ଜଙ୍କସନ ଟିଟିଲାଗଡରେ କୌଣସି ଉନ୍ନତି ପାଇଁ ମନ୍ତବ୍ୟ ନ ଦେଇ ବଲାଙ୍ଗିର ଏବଂ କଣ୍ଟାବାଞ୍ଜିର ଉନ୍ନତି ପାଇଁ କରିଥିବା ଯୋଜନାର ଘୋଷଣା ଓ ଟିଟିଲାଗଡ଼ ଅଂଚଳରେ ଏକ ୱାଗନ କାରଖାନା ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ବଲାଙ୍ଗିର ସାଂସଦ କେଉଁ ଭାବରେ କଣ୍ଟାବାଞ୍ଜି ସହରରେ ୱାଗନ କାରଖାନା ପାଇଁ ସୁପାରିଶ କରିଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ ସଭାପତି ଜ୍ଞାନରଞ୍ଜନ ସରାଫ ପ୍ରଶ୍ନ କରିଛନ୍ତି । ରାୟଗଡାରୁ ସମ୍ବଲପୁର ଏବଂ ନୂଆଁପଡା ପର୍ଯ୍ୟନ୍ତ ଯେତେ ରେଲୱେ ଯାତ୍ରୀଙ୍କର ସୁରକ୍ଷା ଏବଂ ହିତ ଦୃଷ୍ଟିରୁ ଟିଟିଲାଗଡ ଠାରେ ସୁପର ସ୍ପେସିଆଲିଷ୍ଟ୍ ହସପିଟାଲ ଟିଏ ତିଆରି କରିବା ପାଇଁ ଦାବୀ କରିଛି କଂଗ୍ରେସ । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରି ଭାରତୀୟ ଜନତା ପାର୍ଟିର ଜନ ଆଶିର୍ବାଦ ଯାତ୍ରା ଏହା ନିନ୍ଦନୀୟ ଏବଂ ପରିତାପର ବିଷୟ ବୋଲି ଅଭିଯୋଗ କରିଛି ଟିଟିଲାଗଡ କଂଗ୍ରେସ । ଏହାର ଜବାବ ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଠୁ ନେଇ ପୌରାଞ୍ଚଳ ନିର୍ବାଚନରେ ବିଜେପି ଏବଂ ବିଜେଡି ତା’ର କଡା ଜବାବ ପାଇବେ ବୋଲି ଆଜି ବିରୋଧୀ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀକୁ ଦେବାନନ୍ଦ ସାହୁ ପରିଚାଳନା କରିଥିବା ବେଳେ ଜ୍ଞାନରଞ୍ଜନ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଇନରୀଟି ସେଲ ଅଧ୍ୟକ୍ଷ ବିଚିତ୍ର ବାଗ, ମାଧବ ତାଣ୍ଡି, ଭାରତୀୟ ଜାତୀୟ ଟ୍ରେଡ ୟୁନିୟନ କଂଗ୍ରେସର ଟିଟିଲାଗଡ ସଭାପତି ଅଭି ବାଗ, ଯୁବ କଂଗ୍ରେସ ସମ୍ପାଦକ ସୁରଜ ବେହେରା, ବ୍ଲକ କଂଗ୍ରେସ ଏସ୍‌ସି ସେଲ କିଷାନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.