ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଦରାଭଟା ଜଳମହାଦେବ ପୀଠ

  • ରାଜ୍ୟ ପର୍ଯ୍ୟଟନ ବିଭାଗର ସାମାନ୍ୟତମ ଦୃଷ୍ଟିକୁ ଆସିଲେ ଗୌରବଶାଳୀ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ । ପର୍ବତର ପଶ୍ଚିମ ଦିଗର ହରିଶଙ୍କର ପୀଠ ଠାରୁ ପ୍ରାୟ ୪ କି.ମି. ଦୂରରେ ଅବସ୍ଥିତ ଜଳମହାଦେବ ପୀଠ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଦରମହକୁମା ଠାରୁ ପ୍ରାୟ ୫୦ କିମି ଦୂର ଖପ୍ରାଖୋଲ ବ୍ଳକ ମହରାପଦର ପଂଚାୟତର କନ୍ଦରାଭଟାରୁ ପ୍ରାୟ ଦୁଇ କିମି ଦୂରରେ ଅବସ୍ଥିତ ଜଳମହାଦେବ ପୀଠ । ଗନ୍ଧମାର୍ଦ୍ଦନ ପାହାଡ଼ ପ୍ରାକୃତିକ ଘେରା ଏହି ଜଳ ମହାଦେବ ପୀଠ । ଗନ୍ଧମାର୍ଦ୍ଦନ ପାହାଡ଼ରୁ ପ୍ରବାହିତ ଝରଣାର ସୁଅର ଶୃଙ୍ଖରେ ଜଳ ମହାଦେବ ରୁପେ ବହୁ ଆବାହନ କାଳରୁ ପୂଜା ପାଉଛନ୍ତି । କିମ୍ବଦନ୍ତୀ ଅନୁସାରେ କନ୍ଧ ଆଦିବାସୀ ସଂପ୍ରଦାୟର ଲୋକେ ସାହୁକାର ପାଖରୁ ଧାର କରଜ ଆଣିଥିଲେ ହେଲେ ତାକୁ ନିର୍ଧାରିତ ସମୟରେ ଶୁଝି ନପାରିବାରୁ ସାହୁକାରଙ୍କ ଭୟରେ ଆଦିବାସୀ କନ୍ଧ ପରିବାରର ସମସ୍ତ ସଦସ୍ୟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଲୁଚି ରହି କନ୍ଦମୂଳ ସଂଗ୍ରହ କରି ଜୀବନ ବଞ୍ଚାଉଥିଲେ । ଦିନେ କନ୍ଧ ବୁଢ଼ା କନ୍ଦମୂଳ ଖୋଲୁଥିବା ବେଳେ କୋଦଳ ବାଜି ଯିବାରୁ ଲିଙ୍ଗରୁ ରକ୍ତ ବାହାରୁଥିବା ଦେଖିବାକୁ ପାଇଥିଲେ । ସେଦିନ ରାତିରେ କନ୍ଧ ବୁଢ଼ାଙ୍କୁ ସ୍ୱପ୍ନାଦେଶରେ ଜଳ ମହାଦେବ ନାମରେ ପୂଜାର୍ଚ୍ଚନା କରିବାକୁ କହିଥିଲେ ବୋଲି ବର୍ତ୍ତମାନ ମନ୍ଦିର ପୂଜକ ଦୁର୍ଯ୍ୟୋଧନ ଭୂଏ କହିଛନ୍ତି । ସେଦିନ ଠାରୁ ପୂଜା କରି ଆସୁଥିବା ବେଳେ ବଲାଙ୍ଗିର ମହାରାଜା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଜଳ ମହାଦେବ ଆବିର୍ଭାବ ହୋଇଥିବା ପ୍ରାୟ ଅଧ କି.ମି. ଦୂରରେ ମନ୍ଦିର ନିର୍ମାଣ କରିଛନ୍ତି ଓ ଜଳମହାଦେବଙ୍କ ସମେତ ଦୂର୍ଗା, ଲକ୍ଷ୍ମୀ ନାରାୟଣ, ଗଣେଶ ବୃଷଭ ଆଦି ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ସ୍ଥାପନ ସହ ପୂଜାପାଉଛନ୍ତି । କିନ୍ତୁ ମନ୍ଦିରରୁ ଅଧ କି.ମି. ଦୂରରେ ପୂର୍ବରୁ ଆବିର୍ଭାବ ହୋଇ ଥିବା ଝରଣାର ଶୁଅରେ ଜଳମହାଦେବଙ୍କୁ ଦେଖିବା ଓ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ବେଶ ଆଗ୍ରହ କରିଥାନ୍ତି । ଜଳମହାଦେବଙ୍କ ପାଖକୁ ଯିବାକୁ ହେଲେ ବହୁ କଷ୍ଟରେ ଜଙ୍ଗଲ ଘେରା ପଥର ଉପରେ ଅଧ କିମି ଯିବାକୁ ହୋଇଥାଏ । ଚାରିପଟେ ସବୁଜ ବନାନୀ ଗନ୍ଧମାର୍ଦ୍ଦନ ପାହାଡ଼ ଘେରା ଆଢ଼ୁଆଳରେ ଏହି ଜଳ ମହାଦେବ ପୀଠ ପ୍ରାକୃତିକ ଦୃଶ୍ୟପଟ୍ଟ ଅତି ରମଣୀୟ ଜଙ୍ଗଲ ମଧ୍ୟରେ ଅବସ୍ଥିତ ହୋଇଥିବା ହେତୁ ଶ୍ରଦ୍ଧାଳୁମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ପର୍ଯ୍ୟଟକ ମାନେ ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ଛାଡ଼ି ଫେରିବାକୁ କୁଣ୍ଠାବୋଧ କରିଥାନ୍ତି । ଜଳମହାଦେବ ପୀଠରେ ପାନୀୟ ଜଳର ସୁବିଧା, ମଣ୍ଡପ, ଷ୍ଟଲ ନିର୍ମାଣର ଆବଶ୍ୟକ ରହିଛି । ଏହି ପୀଠକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ପୀଠର ବିକାଶ ଦିଗରେ ସରକାରଙ୍କ ଦୃଷ୍ଟି ପଡି ନାହିଁ । ପୀଠକୁ ଯିବାକୁ ଭଲ ରାସ୍ତାଟିଏ ନଥିବାରୁ ଯିବା ଆସିବାରେ ଘୋର ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଜଳମହାଦେବ ସଂକ୍ରାନ୍ତି କମିଟି ନାମରେ ଏକ କମିଟି ଗଠନ କରାଯାଇଛି ଏବଂ ମନ୍ଦିର ପରିଚାଳନାରେ ବହୁ ଆଡମ୍ବର ନହେଲେ ମଧ୍ୟ ବର୍ଷର ପ୍ରତ୍ୟେକ ପର୍ବ ପର୍ବାଣୀରେ ଏଠାରେ ଶ୍ରଦ୍ଧାଳୁମାନଙ୍କ ବିଶେଷ ସମାଗମ ହୁଏ । ମାସର ସଂକ୍ରାନ୍ତି, ସୋମବାର, ଶ୍ରାବଣ ପୂର୍ଣ୍ଣିମା, ମହାଶିବରାତ୍ରି ଦିନ ମାନଙ୍କରେ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଅସମ୍ଭାଳ ହୋଇ ପଡ଼େ ବୋଲି ସ୍ଥାନୀୟ ଲୋକେ କହନ୍ତି । ବର୍ତ୍ତମାନ ବଲାଙ୍ଗିର ମହାରାଜା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଆବଶ୍ୟକ ଯୋଗଦାନ ଓ ସହଯୋଗ ଦେଇ ଆସୁଛନ୍ତି ବୋଲି ପୂଜକ ଦୁର୍ଯ୍ୟୋଧନ ଭୂଏ କହିଛନ୍ତି । ଜଳ ମହାଦେବ ପୀଠ ଗନ୍ଧମାର୍ଦ୍ଦନ ପାହାଡ଼ ଶେଷରେ ଅବସ୍ଥିତ ଥିବାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗର ଦୃଷ୍ଟିକୁ ଆସୁନାହିଁ । ପୀଠରେ ଷ୍ଟଲ୍ ନଥିବାରୁ ଛୋଟ ଛୋଟ କୁଡ଼ିଆ କରି ପୂଜା ସାମଗ୍ରୀ ବ୍ୟବସାୟୀ ବିକ୍ରି କରୁଥିବା ଦେଖିବାକୁ ମିଳେ । ଏହି ଜଳ ମହାଦେବ ପୀଠ ପ୍ରତି ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ କତ୍ତୃପକ୍ଷଙ୍କ ସାମାନ୍ୟତମ ଦୃଷ୍ଟିକୁ ଆସିଲେ ଏହା ଓଡ଼ିଶା ରାଜ୍ୟ ଗୌରବ ଶାଳୀ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ ଏଥିରେ ତିଲେ ମାତ୍ର ସନ୍ଦେହର ଅବକାଶ ନାହିଁ । ସଂପୃକ୍ତ ବିଭାଗ, ବିଭାଗୀୟ ମନ୍ତ୍ରୀ , ବର୍ତ୍ତମାନ ବିଧାୟକ ଏବଂ ରାଜବଂଶର ମହାରାଜା ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ସହ ପର୍ଯ୍ୟଟକ ଶ୍ରଦ୍ଧାଳୁମାନଙ୍କର ମଧ୍ୟରେ ଦାବୀ ହେଉଛି ।

Leave A Reply

Your email address will not be published.