ଅସହାୟ ଡାଳିମ୍ବଙ୍କୁ ପଢିବା ପାଇଁ ସରକାରୀ ସହାୟତା ମିଳିଲା

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ଗୌଡ଼ ସାହିରେ ବାସ କରନ୍ତି ଚଞ୍ଚଳ ପିତେଇ ଓ ତାଙ୍କ ପରିବାର । ସ୍ୱାମୀ ଶ୍ରୀହରି ପିତେଇ ଗତ ୪ ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ସତର ବର୍ଷର ଝିଅ ମାନସିକ ବିକୃତ ପୁଅ ଓ ଅସୀ ବର୍ଷର ଶାଶୁ ଅଛନ୍ତି । ସମସ୍ତଙ୍କ ଦାୟିତ୍ୱ ଚଞ୍ଚଲାଙ୍କ ଉପରେ ନିର୍ଭର । ଜମିବାଡ଼ି କିଛି ନଥିବାରୁ ସେମାନେ ପରଘରେ ବାସନ ମାଜି ଚଳୁଥିଲେ । ତାଙ୍କର ଝିଅ ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଆର୍ଥିକ ଅସୁବିଧା ହେତୁ ଆଗକୁ ପଢି ପାରୁନାହାନ୍ତି । ଆର୍ଥିକ ଅସୁବିଧା ହେତୁ ଶାଶୁ ଓ ପୁଅର ଚିକିତ୍ସା ହୋଇପାରୁନି । ତାଙ୍କୁ ଓ ତାଙ୍କ ଶାଶୁଙ୍କୁ ବିଧବା ଭତ୍ତା ମିଳୁଥିବା ବେଳେ ସମସ୍ତଙ୍କୁ ରାସନ ମିଳୁଛି, ଯାହା ସମୁଦ୍ରକୁ ଶଙ୍ଖେ । ଏହି ସମସ୍ୟା ବିଷୟକୁ ନେଇ ଗତ କିଛିଦିନ ତଳେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟାକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା କୋରାପୁଟ ଜିଲ୍ଲାପାଳ, ଶିଶୁ ସୁରକ୍ଷା ୟୁନିଟ କୋରାପୁଟ, ନନ୍ଦପୁର ବିଡ଼ିଓ, ମନ୍ତ୍ରୀ ଟୁକୁନି ସାହୁଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଖବର ପାଇ ନନ୍ଦପୁର ବିଡ଼ିଓ ଏହାର ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ତଦନ୍ତ କରି ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଡାଳିମ୍ବ ପିତେଇ ଆଗକୁ ପଢିବା ପାଇ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଦେବାଶିଷଙ୍କୁ ଖୁବ ଶୀଘ୍ର ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦିଆଯିବ ବୋଲି ସମାଜ ସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.