ଆଦିମ ଅଧିବାସୀ ଏକତା ମଞ୍ଚର ପ୍ରୟାସ : ମୋ ଚାଟଶାଳୀ କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି । ବିକଳ୍ପ ଶିକ୍ଷା ଭାବେ ସରକାର ଅନ୍‌ଲାଇନ୍‌ ଓ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି । କିନ୍ତୁ ବୌଦ୍ଧ ଭଳି ଜିଲ୍ଲାରେ ନେଟ୍‌ୱର୍କ ସମସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ମୋବାଇଲ ନଥିବା ଯୋଗୁ ଏହା ଫଳପ୍ରଦ ହୋଇ ପାରିନାହଁ । ତେଣୁ ପାଠପଢାରୁ ବଞ୍ଚିତ ହେଉଥିବା ଓ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ଆଦିମ ଅଧିବାସୀ ଏକତା ମଞ୍ଚ, କଣ୍ଟାମାଳ ଶାଖା ପକ୍ଷରୁ ବ୍ଲକର ୧୩ ଗୋଟି ଗ୍ରାମ ପଞ୍ଚାୟତର ୮୨ଟି ଗ୍ରାମରେ ୮୭ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲାଯାଇଛି । ମୋ ଚାଟଶାଳୀ କେନ୍ଦ୍ର ମାଧ୍ୟମରେ ୮୭ ଜଣ ସ୍ୱେଛାସେବୀ ପ୍ରଥମରୁ ପଞ୍ଚମ ଶ୍ରେଣୀର ୧୨୫୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଗତ ମାର୍ଚ୍ଚ ମାସ ଠାରୁ କୋଭିଡ ନିୟମାବଳୀ ପାଳନ କରି ଶିକ୍ଷାଦାନ କରିଆସୁଛନ୍ତି । ଏହି କେନ୍ଦ୍ର ଗୁଡିକରେ ପିଲାମାନେ ପ୍ରତ୍ୟେକ ଦିନ ଦୁଇ ଘଣ୍ଟା ପାଠ ପଢିବା ସହିତ ପରିବେଶ ସୁରକ୍ଷା, ଖେଳକୁଦ, ନାଚଗୀତ ଓ ଚିତ୍ରାଙ୍କନ ମାଧ୍ୟମରେ ହସଖୁସିରେ ପାଠ ପଢୁଛନ୍ତି । ଗ୍ରାମର ଅଭିଭାବକ ମାନଙ୍କ ଦ୍ୱାରା ମନୋନୀତ ସେହି ଗ୍ରାମର ଯୁବକଯୁବତୀ, କଲେଜରେ ପଢୁଥିବା ଛାତ୍ରଛାତ୍ରୀ, ଶିକ୍ଷିତା ମହିଳାମାନେ ବିନା ପାରିଶ୍ରମିକରେ ଶିକ୍ଷାଦାନ କରିଆସୁଛନ୍ତି । ମଞ୍ଚ ତରଫରୁ ସ୍ୱେଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଅଛି । ବ୍ଲକର ଅନ୍ୟାନ୍ୟ ଗ୍ରାମ ଗୁଡିକରେ ଶୀଘ୍ର ମୋ ଚାଟଶାଳୀ କେନ୍ଦ୍ର ଖୋଲାଯିବା ନିମନ୍ତେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମଞ୍ଚ ତରଫରୁ ବ୍ଲକ ସଭାପତି ମୋହନ ରାଜହଂସ ସୂଚନା ଦେଇଛନ୍ତି । ସମ୍ପାଦକ ହରିହର ମେହେର ଓ ମଞ୍ଚର କାର୍ଯ୍ୟକର୍ତ୍ତା ମୀନକେତନ ମେହେର, ସମ୍ପତି ବାଗ, ଶ୍ରୀକୃଷ୍ଣ ମହାକୁଡ, ବଳରାମ ବାଗ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ସହାୟତା କରୁଛନ୍ତି ।

Leave A Reply

Your email address will not be published.