jayashree

‘କୋଶଳ ପ୍ରବାହ ଲାଇଭ୍‌’ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ୍‌ର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ : ଜନସାଧାରଣଙ୍କ ବାର୍ତ୍ତାବହ ପାଲଟିଛି ‘କୋଶଳ ପ୍ରବାହ ଲାଇଭ୍‌’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶିତ ‘କୋଶଳ ପ୍ରବାହ ଲାଇଭ’ ନ୍ୟୁଜ ପୋର୍ଟାଲ ଆଜି ଦ୍ୱିତୀୟ ବର୍ଷରେ ପାଦ ଦେଇଛି । ସ୍ଥାନୀୟ ସମ୍ବାଦିକ ଭବନ ଠାରେ ଆୟୋଜିତ ବାର୍ଷିକତ୍ସୋବ କାର୍ୟ୍ୟକ୍ରମରେ ସାମ୍ପ୍ରତିକ ପରିସ୍ଥିତିରେ ୱେବ୍‌ ନ୍ୟୁଜ୍‌ ପୋର୍ଟଲର ଭୂମିକା ପ୍ରସଙ୍ଗରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ମାତ୍ର ଗୋଟିଏ ବର୍ଷରେ ‘କୋଶଳ ପ୍ରବାହ ଲାଇଭ୍‌’ ସାଧାରଣ ଜନତାଙ୍କ ବାର୍ତ୍ତାବହ ପାଲଟି ପାରିଛି ବୋଲି ମତ ପ୍ରକାଶ ପାଇଥିଲା । ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ତଥା ସାମାଜିକ କର୍ମୀ ହେମନ୍ତ ପଣ୍ଡା, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ଡ. ଶିବ ପ୍ରସାଦ ବେହେରା ଓ ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଯୋଗଦାନ କରିଥିବା ବେଳେ ସାହିତ୍ୟସାଧିକା ଶ୍ରୀମତୀ ଲିଲି ପଟେଲ ସଭା ସଂଚାଳନ ଦାୟିତ୍ୱ ଗ୍ରହଣ କରିଥିଲେ ।

କାର୍ୟ୍ୟକ୍ରମ ପ୍ରାରମ୍ଭରେ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ ପରେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଅତିଥିମାନଙ୍କୁ ପ୍ରଶାସନିକ ଅଧିକାରୀ ଶ୍ୟାମପ୍ରସାଦ ଗୁରୁ ଓ କର୍ମକର୍ତ୍ତାଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ଅତିଥି ବୃନ୍ଦ ଆଜିର ଅଲୋଚ୍ୟ ପ୍ରସଙ୍ଗ ଉପରେ ନିଜସ୍ୱ ମତ ରଖିଥିଲେ । କରୋନା କାଳରେ ଲକ୍‌ ଡାଉନ୍‌, ସଟ୍‌ ଡାଉନ ଯୋଗୁଁ ବିଭିନ୍ନ ମୁଖ୍ୟ ଗଣମାଧ୍ୟମ ପାଠକଙ୍କ ପାଖକୁ ପହଞ୍ଚିବାରେ ଅସଫଳ ହୋଇଥିବା ବେଳେ ୱେବ୍‌ ନିଉଜ୍‌ ପୋର୍ଟଲ ଗୁଡିକ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି । ସେହି କ୍ରମରେ ତୁରନ୍ତ ଖବର ପ୍ରସାରଣ କରି ‘କୋଶଳ ପ୍ରବାହ ଲାଇଭ୍‌’ ବିଶେଷ ସଫଳତା ହାସଲ କରିଛି ବୋଲି ବିଶିଷ୍ଠ ଶିକ୍ଷାବିତ୍‌ ଶ୍ରୀ ବେହେରା କହିଥିଲେ । ବିଧାୟକ ଶ୍ରୀ ମେହେର ସମ୍ବାଦିକ ମାନଙ୍କୁ ନବୀନ ସରକାର ବିଶେଷ ପ୍ରାଧାନ୍ୟ ଦେଇ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ କରୋନାରେ ପ୍ରାଣବଳି ଦେଇଥିବା ସମ୍ବାଦିକଙ୍କ ପରିବାରବର୍ଗଙ୍କୁ ସହେଯାଗ ରାଶି ପ୍ରଦାନ କରିଛନ୍ତି । ତେବେ ‘କୋଶଳ ପ୍ରବାହ’ ଅଂଚଳର କଥା ଓ ବ୍ୟଥାକୁ ଠିକ୍‌ ଭାବେ ପରିପ୍ରକାଶ କରୁଥିବା ବେଳେ ଜନସାଧାରଣଙ୍କ ସମସ୍ୟାର ନିଦାନ୍‌ ପାଇଁ ସେ ଚିର ଚେଷ୍ଟିତ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀ ପଣ୍ଡା ୱେବ୍‌ ନ୍ୟୁଜ୍‌ ପୋର୍ଟାଲର ଆବିର୍ଭାବ ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରି ‘କୋଶଳ ପ୍ରବାହ ଲାଇଭ୍‌’ର ସଫଳ ଅଙ୍ଗିକାରବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ହୋତା ସାମ୍ବାଦିକଙ୍କ ସମାଜ ପ୍ରତି ରହିଥିବା ଯୋଗଦାନ ଉପରେ ଆଲୋକପାତ କରିଥିଲେ । ସଭାପତିତ୍ୱ ବକ୍ତବ୍ୟରେ ସଂପାଦକ ଶ୍ରୀ ସାହୁ ସାମ୍ବାଦିକମାନଙ୍କ ନିଷ୍ଠା ଓ ସମାଜରେ ସେମାନଙ୍କ ସ୍ଥିତି ସଂପର୍କରେ ବକ୍ତବ୍ୟ ରଖିଥିଲେ ।

ଏହାପରେ ସମ୍ବର୍ଦ୍ଧନା ପର୍ବ ଆରମ୍ଭ ହୋଇଥିଲା । କରୋନା ମହାମାରୀ ସଂକ୍ରମଣ କାଳରେ ଅସହାୟ ମଣିଷଙ୍କୁ ଯେଉଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ସହାୟତା ପ୍ରଦାନ କରିଥିଲେ, ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପାଇଥିବା ଅନୁଷ୍ଠାନ ଗୁଡ଼ିକ ହେଲେ ବଲାଙ୍ଗିର ସିଏନ୍‌ସି ଛାତ୍ର ସମୂହ, ସ୍ମାଇଲ୍‌ ଫର୍‌ ଅଲ୍‌, ନାରୀଶକ୍ତି ଫାଉଣ୍ଡେସନ୍‌, ଟିଟିଲାଗଡ଼ର ଗୁରୁକୃପା ସେବା ଟ୍ରଷ୍ଟ, ପାଟଣାଗଡ଼ର ସିଟିଜନ୍‌ କମିଟି, ବଲାଙ୍ଗିରର ୱେଷ୍ଟର୍ଣ୍ଣ ଓଡ଼ିଶା ଯୁବାମଂଚ, ବରଗଡ଼ର ନିଷ୍ଠା, ପାଟଣାଗଡ଼ର ସେବା ଚେରିଟେବୁଲ୍‌ ଟ୍ରଷ୍ଟ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ମାହେଶ୍ୱରୀ ସେବା ସଂଗଠନ, କେଶରୀୟା ହିନ୍ଦୁ ବାହିନୀ ଓ ସୀତାରାମ ଫାଉଣ୍ଡେସନ୍‌ । ଏହି ଅବସରରେ ‘କୋଶଳ ପ୍ରବାହ’ର ତିନି ଜଣ ଯୁବ ସାମ୍ବାଦିକ ଦେବାଶିଷ ମିଶ୍ର, ନିରୋଜ କୁମାର ପାଣୀ ଓ ଅଜିତ କୁମାର ସାହୁ ବେଷ୍ଟ୍‌ ରିପୋର୍ଟର୍‌ ଭାବେ ସମ୍ମାନ ଗ୍ରହଣ କରିଥିଲେ । ସଭା ଶେଷରେ ବଲାଙ୍ଗିର ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.