ଅପେକ୍ଷାରେ ସରକାରଙ୍କ ରାଜସ୍ୱ ଗ୍ରାମ ଘୋଷଣା : ଗାଁଠୁ ବିଛିନ୍ନ ହୋଇଥିବା ଜନବସତିକୁ ଗାଁର ମାନ୍ୟତା ଦିଆଯାଉ

ଦେଓଗାଁ, (ମନୀଷ କୁମାର ସାହୁ) : ୩୦ ବର୍ଷରୁ ଅଧିକ ହେଲା ଦେଓଗାଁ ତହସିଲ ଅଧିନରେ ଥିବା ୩୦ରୁ ଅଧିକ ଗାଁ ସ୍ୱତନ୍ତ୍ର ରାଜସ୍‌ସ୍ୱ ଗାଁର ମାନ୍ୟତା ପାଇବା ଅପେକ୍ଷାରେ । ଓଡିଶାରେ ୪ହଜାରରୁ ଅଧିକ ଗାଁକୁ ସ୍ୱତନ୍ତ୍ର ରାଜସ୍ୱ ଗାଁର ମାନ୍ୟତା ଦେବାକୁ ସରକାର ଚିନ୍ତା କରୁଥିବା ବେଳେ ଦେଓଗାଁ ବ୍ଳକର ୩୦ରୁ ଅଧିକ ଗାଁ ବର୍ତ୍ତମାନ ଆଶାରେ ରହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସରକାର ପ୍ରତି ବ୍ଳକ ସୀମାକୁ ତହସିଲର ମାନ୍ୟତା ଦେଇ ଲୋକଙ୍କ ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରୁଥିବା ବେଳେ ଗାଁର ମାନ୍ୟତା ପାଇବାକୁ ଯୋଗ୍ୟତା ଥିବା ଜନବସତିକୁ ଏକ ପଡ଼ା ଭାବେ ରହିଥିବାରୁ ବିକାଶ ହେବାରେ ମନ୍ଥର ହୋଇପଡ଼ିଛି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଗାଁରୁ ୫ଶହ ମିଟରରୁ ଅଧିକ ଦୂରତାରେ ଥିବା ଓ ୨୫୦ ଜନବସତିକୁ ଗାଁର ମାନ୍ୟତା ଦେବା କିମ୍ବା ୫ଶହ ମିଟର ମଧ୍ୟରେ ୩ଶହ ଜନବସତି କିମ୍ବା ଗାଁରୁ ପ୍ରକୃତିକ ଭାବେ ବିଛିହ୍ନ ହୋଇ ୨୫୦ରୁ କମ୍‌ ଜନବସତି ଥିବା ପଡ଼ାକୁ ଗାଁର ମାନ୍ୟତା ଦେବାକୁ ଯୋଜନା କରୁଛନ୍ତି । ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ଦେଓଗାଁ ବ୍ଳକର ୩୦ରୁ ଅଧିକ ପଡ଼ା ନିଶ୍ଚିତ ଭାବେ ଗାଁର ମାନ୍ୟତା ପାଇବ । ପ୍ରକାଶ ଥାଉକି, ଦେଓଗାଁ ବ୍ଳକର ମୋଟ ୨୬ଟି ପଞ୍ଚାୟତରୁ ୧୦ରୁ ଅଧିକ ପଞ୍ଚାୟତକୁ ବଲାଙ୍ଗିର ଜିଲ୍ଲା ତଥା ବ୍ଳକ ସଦର ମହକୁମାରୁ ଠିକ୍‌ ଭାବେ ଗମନା ଗମନର ସୁବିଧା ନାହିଁ । ଗାଁରୁ ବ୍ଳକ କାର୍ଯ୍ୟାଳୟକୁ ଯାଇ ଫେରିବାକୁ ଗୋଟିଏ ଦିନ ଲାଗିଥାଏ । ଏପରି କି ଗାଁରୁ ପଞ୍ଚାୟତକୁ ଯିବା ଆସିବା କରିବାରେ ମଧ୍ୟ ବହୁ ହଇରାଣ ହେବାକୁ ପଡ଼ିଥାଏ । ବ୍ଳକକୁ ଯଦି ସରକାରୀ ଅଧିକାରୀଙ୍କୁ ଭେଟିବାକୁ ଯାଇଥିବା ଲୋକ ଅଧିକାରୀ ଅନୁପସ୍ଥିତ କିମ୍ବା ଅନ୍ୟ କାମରେ ବ୍ୟସ୍ତ ଥିଲେ ତାହା ହେଲେ ସମୟ ନଷ୍ଟ ସହ ବହୁ ହଇରାଣ ହେବାକୁ ପଡ଼ିଥାଏ । ତେଣୁ ଦେଓଗାଁ ବ୍ଳକରେ ବିଛିନ୍ନ ଭାବେ ଥିବା ପଡ଼ାକୁ ଗାଁର ମାନ୍ୟତା ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.