
ନରସିଂହଙ୍କ ପ୍ରେସ ବିବୃତ୍ତି : ତିନି ମାସ ପରେ ହେବ ବାଏପାସ୍ର ଟେଣ୍ଡର ପ୍ରକ୍ରିୟା, ଟ୍ରକ ଟର୍ମିନାଲ ପାଇଁ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବହୁ ଦିନର ଦାବୀ ପୁରଣ ହେବାର ଦିନ ପାଖେଇ ଆସୁଛି । ଦୀର୍ଘ ବର୍ଷରୁ ବାଏପାସ ନିର୍ମାଣ ପାଇଁ ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ବଲାଙ୍ଗିରରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିଲେ । ସମସ୍ତ ସଂଗଠନ, ସାଧାରଣ ଜନତା, ରାଜନୈତିକ ନେତୃବୃନ୍ଦଙ୍କ ପାଇଁ ଏହି ଆନ୍ଦୋଳନ ଏକ ସମ୍ମାନର ଏବଂ ସ୍ୱାଭିମାନର ପ୍ରଶ୍ନ ହୋଇଯାଇଥିଲା । ତେବେ, ବର୍ତ୍ତମାନ ବାଏପାସ ନିର୍ମାଣର ବାଟ ଫିଟିବା ଆରମ୍ଭ ହୋଇଯାଇଛି । ଆଉ ତିନି ମାସ ପରେ ବାଏପାସ ନିର୍ମାଣ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର ବିଧାୟକ ଦଳର ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ସେ ଏହି ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି ଯେ, ବାଏପାସ ନିର୍ମାଣକୁ ନେଇ ଯାହା ଜମି ବନ୍ଦୋବସ୍ତ ସମ୍ବନ୍ଧୀୟ ସମସ୍ୟା ଥିଲା ସେ ସବୁର ସମାଧାନ ହୋଇଛି । ଆସନ୍ତା ନଭେମ୍ବର ମାସ ସୁଦ୍ଧା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସେ ଜଣାଇଛନ୍ତି । ଏହା ସହ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଲୋକଙ୍କ ଅନ୍ୟ ଏକ ଦାବୀ ଟ୍ରକ ଟର୍ମିନାଲର ଟେଣ୍ଡର ପ୍ରକ୍ରିୟା ଏ ଭିତରେ ଆରମ୍ଭ ହୋଇସାରିଛି । ଏହି ପ୍ରକ୍ରିୟା ସେପ୍ଟେମ୍ବର ମାସ ସୁଦ୍ଧା ଶେଷ ହୋଇଗଲେ ଟ୍ରକ ଟର୍ମିନାଲ କାମ ମଧ୍ୟ ଆରମ୍ଭ ହୋଇଯିବ । ସେହିପରି, ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରେସ ବିବୃତ୍ତିରେ ବଲାଙ୍ଗିରରେ ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଆରମ୍ଭକୁ ନେଇ ମଧ୍ୟ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲୋୟର ସୁକତେଲ ସମ୍ବନ୍ଧୀୟ ସମସ୍ତ ଅଧିକାରୀମାନଙ୍କୁ ନେଇ ହେଉଥିବା ବୈଠକମାନଙ୍କରେ ଲୋକଙ୍କୁ ଠିକ୍ ହିସାବରେ ବିସ୍ଥାପନ, କ୍ଷତିପୁରଣ ଓ ପୁନର୍ବାସ ଉପରେ ହୃଦୟତାର ସହ କାମ କରିବାକୁ କହିଛନ୍ତି । ଏହା ସହ ଲୋୟର ସୁକତେଲ ବିସ୍ଥାପିତମାନଙ୍କ ପୁନର୍ବାସ, ଥଇଥାନ ପାଇଁ ସହର ଉପକଣ୍ଠରେ ତିଆରି ହୋଇଥିବା କଲୋନୀ ମାନଙ୍କରେ ଯେପରି ସମସ୍ତ ପ୍ରକାର ମୌଳିକ ସୁବିଧା ଲୋକଙ୍କୁ ଠିକ୍ ହିସାବରେ ମିଳିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶାନ୍ତିପୁର୍ଣ୍ଣ ଭାବେ କୌଣସି ପ୍ରତିବନ୍ଧକ ବିନା ଲୋକଙ୍କ ବହୁତ ଦିନର ଆଶା ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଏହି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ମଧ୍ୟ ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ସମାପ୍ତ ନିଶ୍ଚୟ ସମ୍ପୁର୍ଣ୍ଣ ହେବ ବୋଲି ସେ ଦୃଢତାର ସହ ନିଜ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।