oom

ବିଦେଶୀ ମଦ ଦୋକାନ ସହରରୁ ସ୍ଥାନାନ୍ତର ଦାବୀ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ମୁଖ୍ୟଛକ(ଇନ୍ଦିରା ଏବଂ ଶାସ୍ତ୍ରୀଛକ)ରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ସଂପୁର୍ଣ୍ଣ ଭାବେ ସ୍ଥାନାନ୍ତର ଦାବୀ କରିଛି ବେହେରେନସିଲେଟ ଆମ୍ବେଦକର ଯୁବକ ସଂଘ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଦାବୀପତ୍ର ଦିଆଯାଇଛି । ଦାବୀ ମୁତାବକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତର ନକଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ସଂଘ ଅଭିଯୋଗ ଅନୁସାରେ ସହରର ମୁଖ୍ୟ ଇନ୍ଦିରାଛକରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ଅବକାରୀ ନିୟମ ଅନୁସାରେ ଖୋଲା ଯାଇନାହିଁ । ଏହି ମଦ ଦୋକାନରୁ କିଛି ଦୁରତାରେ ସରକାରି ବାଳିକା ହାଇସ୍କୁଲ, ସର୍ବ ପୁରାତନ ରାମ ମନ୍ଦିର ଅବସ୍ଥିତ । ସରକାରି ବାଳିକା ସ୍କୁଲକୁ ଏହି ରାସ୍ତା ଦେଇ ଛାତ୍ରୀମାନେ ସ୍କୁଲ ଯିବା ଆସିବା କରନ୍ତି । ମନ୍ଦିରକୁ ମଧ୍ୟ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥାଏ । ସେହିପରି ଶାସ୍ତ୍ରୀଛକ ପାଖରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ – ୨ ରହିଛି । ସେହି ମଦ ଦୋକାନ ପାଖକୁ ମନ୍ଦିର ଗାୟତ୍ରୀ ମନ୍ଦିର, ମାତା ମନ୍ଦିର, ଜଗନ୍ନାଥ ମନ୍ଦିର ସହ ସ୍ୱାଧିନତା ପୂର୍ବରୁ ଥିବା ନୋଡାଲ ଏମ.ଇ. ସ୍କୁଲ ରହିଛି । ସବୁ ଏହି ରାସ୍ତାରେ ଜନଗହଳି ରହିଥାଏ । ମଦ ଦୋକାନ ରାସ୍ତା ଦେଇ ଏମ.ଇ ସ୍କୁଲକୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନେ ଯାଇଥାନ୍ତି । ମନ୍ଦିରକୁ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ମୁଖ୍ୟଛକ ପାଖରେ ମଦ ଦୋକାନ ଥିବା ଯୋଗୁ ଅନେକ ସମୟରେ ମଦ୍ୟପ ମାନଙ୍କ ଯୋଗୁ ଛାତ୍ରଛାତ୍ରୀ ସହ ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ମଦ୍ୟପମାନେ ମଦ ଦୋକାନରୁ ମଦ କିଣି ରାସ୍ତା ଉପରେ ମଦ ସେବନ କରି ମଦ ଦୋକାନ ପାଖରେ ଆଡ୍ଡା ଜମାଉଥିବା ଯୋଗୁ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଅବକାରୀ ନିୟମ ଅନୁସାରେ ଏହି ଦୁଇ ମଦ ଦୋକାନ ନଥିବା ବେଳେ ତୁରନ୍ତ ଦୁଇ ମଦ ଦୋକାନକୁ ସହରରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବୀ କରାଯାଇଛି । ଏହା ଦାବୀର ଏକାକିତା ନକଲ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମି ରେଡ୍ଡୀ ଜୟଶ୍ରୀଙ୍କୁ ମଧ୍ୟ ଦିଆଯାଇଛି । ଦାବୀପତ୍ର ଦେବା ସମୟରେ ସଂଘ ସଭାପତି ରୋହନ କୁମାର ମହତ, ସଂପାଦକ ମନୋଜ ତାଣ୍ଡି, ସଦସ୍ୟ ଭୀଷ୍ମ ଜାଲ, ସୁମନ ମହତ, ମୋହନ ସୁନା, ଦଳଗଞ୍ଜନ ମହାନନ୍ଦ, ରାଜେଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.