ରାୟଗଡା : ରାୟଗଡା ଜିଲ୍ଲା ରମନାଗୁଡା ବ୍ଲକ ଗୁଲୁନଥି ପଞ୍ଚାୟତ ତାମିଲଗୁଡା ଗାଁର ପାତିକା ଓ ତାଙ୍କ ସ୍ତ୍ରୀ ପ୍ରିୟ ଗତ ୧ ତାରିଖ ଦିନ ବଜ୍ରଘାତରେ ଦୁହିଁଙ୍କ ଦେହାନ୍ତ ହୋଇଥିଲା । ବଜ୍ରଘାତରେ ଦୁହିଁଙ୍କ ଦେହାନ୍ତ ପରେ ତାଙ୍କର ଚାରି ଶିଶୁ ଦେଖୁ ଦେଖୁ ଅନାଥ ହୋଇଗଲେ । ବାପା ମା’ଙ୍କୁ ହରାଇ ଶିଶୁ ମାନେ ଅତି ଦୟନୀୟ ଅବସ୍ଥାରେ ରହି ଆସୁଥିଲେ । ଶିଶୁ ମାନଙ୍କୁ ଆହା ପଦେ କହିବାକୁ ପାଖରେ କେହି ନଥିବା ବେଳେ ଗାଁର ପଡାବାସୀ ଯାହା ଦେଲେ ସେସବୁ ଖାଉଥିଲେ । ନଚେତ ଉପାସରେ ମଧ୍ୟ ରହୁଥିଲେ । କିଛିଦିନ ତଳେ ଏହି ସମସ୍ୟା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ସମସ୍ୟାକୁ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ରାୟଗଡା ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରାୟଗଡା, ମହିଳା ଓ ଶିଶୁ ବିକାଶ ବିଭାଗ, ମନ୍ତ୍ରୀ ଟୁକୁନି ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ପ୍ରଭାବରେ ଡିସିପିଓ ଶାନ୍ତିଲତା ରଥ ଘଟଣାସ୍ଥଳକୁ ପହଂଚି ଏହାର ତଦନ୍ତ କରିଥିଲେ ଓ ଯଦି ଆତ୍ମୀୟଲୋକ ଅନୁମତି ଦିଅନ୍ତି ତେବେ ୨ ଶିଶୁଙ୍କୁ ହଷ୍ଟେଲରେ ରଖାଯିବ ଓ ଅନ୍ୟ ୨ ଶିଶୁଙ୍କୁ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ଓ ଶିଶୁମାନଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ସେହିପରି ଶିଶୁ ମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୨୫୦୦ ଟଙ୍କା ଦିଆଯିବ ବୋଲି କହିଛନ୍ତି । ରମନାଗୁଡା ମାଝୀଗୌରୀ ସ୍ୱୟଂସହାୟିକା ଗୋଷ୍ଠୀ ତରଫରୁ ଶିଶୁ ମାନଙ୍କୁ ରାସନ ସାମଗ୍ରୀ ଯୋଗାଇଛନ୍ତି । ଏହିସବୁ ସୁବିଧା ପାଇ ଶିଶୁ ମାନଙ୍କ ମନରେ କିଛି ଆଶା ସଂଚାର ହୋଇଛି । ଏହିପରି ପ୍ରୟାସକୁ ଗ୍ରାମବାସୀ ସାଧୁବାଦ ଜଣାଇବା ସହ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ପ୍ରଶଂସା କରିଛନ୍ତି ।