
ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ତରଫରୁ ‘ଆଧୁନିକ କବିତା’ ଶୀର୍ଷକ ଆଲୋଚନା ଚକ୍ର ଭର୍ଚୁଆଲ ମୋଡ୍ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳେଇ ଆଲୋଚନା ଚକ୍ର ସମ୍ପର୍କରେ ସାମ୍ୟକ ସୂଚନା ଦେଇ, ଏହାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ସ୍ୱାଇଁ ଆଧୁନିକ କବିତାର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ଵର ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ଃ ମଣୀନ୍ଦ୍ର କୁମାର ମେହେର ଆଧୁନିକ କବିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ତ୍ରିଧାରା ସାହିତ୍ୟ ସଂସଦ, ବ୍ରହ୍ମପୁରର ସମ୍ପାଦକ ଡ଼ଃ ଲଷ୍ମୀନାରାୟଣ ଦାଶ ଆଧୁନିକ କବିତା ଲେଖିବାର ବିଭିନ୍ନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । ପରିଶେଷରେ ସହିତ୍ୟିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହ ମୋଚନ କରିଥିଲେ ଡ଼ଃ ଦିଲ୍ଲୀପ କୁମାର ସ୍ୱାଇଁ, ଡ଼ଃ ମଣୀନ୍ଦ୍ର କୁମାର ମେହେର ଓ ଡ଼ଃ ଲଷ୍ମୀନାରାୟଣ ଦାଶ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା (ବରଗଡ଼) ପରିଚାଳନା କରିଥିବା ବେଳେ ସଂଯୋଜକ ଶ୍ରୀ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଲଳିତ କୁମାର ସ୍ୱାଇଁ ଅତିଥି ପରିଚୟ ଦେବା ସହ ସମ୍ପାଦନା କରିଥିଲେ । ଏହି ଆଲୋଚନା ଚକ୍ରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ କବି ଯୋଗ ଦେଇଥିଲେ । ଆଗାମୀ ଦିନରେ “ଆଧୁନିକ ଗଳ୍ପ” ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।