
ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ଏବଂ ସରକାରଙ୍କ ନୂତନ ଅନୁଦାନ ପ୍ରାପ୍ତ ଯମୁନା କାନ୍ଧୁନୀ ବାଳିକା ଉଚ୍ଚ ବିଦ୍ୟାଳୟ, ପାଇକମାଲ ବ୍ଲକର ଏକ ମାତ୍ର ମହିଳା ଅନୁଷ୍ଠାନ ଅଟେ । ଆଜି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପ୍ରତିନିଧି ଉପେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ, ବିଦ୍ୟାଳୟର ଉନ୍ନତିର ଯୋଜନା ଉପରେ ଆଲୋଚନା କରାଯାଇଥିଲା । ପାଇକମାଲ ସରପଞ୍ଚ ଧବଳେଶ୍ୱର ସାହୁ ବ୍ଲକ ଅଧ୍ୟକ୍ଷଙ୍କୁ ବିଦ୍ୟାଳୟ ସମ୍ମୁଖରେ ଏକ ‘ମାର୍କେଟ କମ୍ପ୍ଲେକ୍ସ’ ନିର୍ମାଣ କରିବା ପାଇଁ ଅନୁରୋଧ କରିବାରୁ ଅଧ୍ୟକ୍ଷ ମହୋଦୟ ଖୁବ ଶୀଘ୍ର ମାର୍କେଟ କମ୍ପ୍ଲେକ୍ସ’ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ୨୬ ତାରିଖ ଠାରୁ ଦଶମ ଶ୍ରେଣୀ ପିଲାମାନେ ବିଦ୍ୟାଳୟକୁ ଆସୁଥିବାରୁ କିପରି କୋଭିଡ -୧୯ ନିୟମକୁ ମାନି ପାଠ ପଢ଼ା ହେବ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ଆଲୋଚନା କରିଥିଲେ । ସମସ୍ତ ଅଭିଭାବକ ବିଦ୍ୟାଳୟର ପରିବେଶ ଦେଖି ଖୁସି ପ୍ରକାଶ କରିବା ସହିତ ଛାତ୍ରୀମାନଙ୍କୁ କୋଭିଡ -୧୯ କଟକଣା ମାନି ବିଦ୍ୟାଳୟକୁ ପାଠ ପଢ଼ାଇବାକୁ ପଠେଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ପରୀକ୍ଷା ଫଳ ଦୀର୍ଘ ‘ଛଅ’ ବର୍ଷ ହେବ ୧୦୦ % ହେଉଥିବାରୁ ସମସ୍ତ କର୍ମଚାରୀଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ଧନ୍ୟବାଦ ଅର୍ପଣ କରିବା ସହିତ ଏ ବର୍ଷ ମଧ୍ୟ ପରୀକ୍ଷା ଫଳ କିପରି ପୂର୍ବ ବର୍ଷ ପରି ରହିବ ସେ ଦିଗରେ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିଶେଷରେ ଶିକ୍ଷୟତ୍ରୀ ଅନିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
