ନାବାର୍ଡର ୪୦ ତମ ପ୍ରତିଷ୍ଠା ଦିବସ ପାଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାବାର୍ଡ ତରଫରୁ ୪୦ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ କୃଷି ଓ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଦେଶ ପାଇଁ ୪୦ ବର୍ଷର ସେବାକୁ ସ୍ମରଣ କରିବା ପାଇଁ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ୨୦ ଜୁଲାଇ ୨୦୨୧ରେ ରାଜଭବନ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ରାଜ୍ୟପାଳ ଓଡିଶା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ଶ୍ରୀ ପି.କେ ଜେନା, ଉନ୍ନୟନ ଆୟୁକ୍ତ -ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ଏ.କେ.କେ ମୀନା, ପ୍ରମୁଖ ସଚିବ, ଅର୍ଥ ବିଭାଗ, ଓଡିଶାର ସରକାର, ନାବାର୍ଡ, ମହାପ୍ରବନ୍ଧକ, ଆୟୁକ୍ତ ତଥା ସଚିବ, ମିଶନ ଶକ୍ତି ପ୍ରମୁଖ ରାଜଭବନ, ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କୋଭିଡ ପ୍ରତିବନ୍ଧକ ହେତୁ ଏହି କାର୍ଯ୍ୟକ୍ରମ ରାଜ ଭବନ ପରିସରରୁ ଆଭାସୀ ଜରିଆରେ ସମସ୍ତ ଜିଲ୍ଲା ସହିତ ସଂଯୁକ୍ତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳଙ୍କ କରକମଳରେ ନାବାର୍ଡର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପୁସ୍ତିକା ପ୍ରତିଫଳନ ୨୦୨୦-୨୧ର ଅନାବରଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (କଲେକ୍ଟର-ଇନ୍ଚାର୍ଜ)ସୁର୍ଯ୍ୟନାରାୟଣ ଦାଶ ଯୋଗ ଦେଇଥିଲେ । ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ତାପସ ଶଙ୍କର ରାଉତ, ଏଜିଏମ୍, ନାବାର୍ଡ ଏବଂ ଲିଡ୍ ବ୍ୟାଙ୍କ୍ ପ୍ରତିନିଧୀ ଦିଲୀପ କୁମାର ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ, ଶ୍ରୀମତୀ କସ୍ତୁରୀ ମେହେର, ଜିଲ୍ଲାର ଜଣେ ପ୍ରଗତିଶୀଳ ବୁଣାକାର ଯିଏ ଡୁଙ୍ଗୁରିପାଲି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ନାବାର୍ଡର ଓ ଏଫ୍‌ପିଓର ସହାୟତା ମାଧ୍ୟମରେ ନିଜର ଦକ୍ଷତା ଏବଂ ଡିଜାଇନରେ ଉନ୍ନତି ଆଣିଥିଲେ, ତାଙ୍କୁ ଅତିରିକ୍ତ ଜିଲ୍ଲପାଳଙ୍କ କରକମଳରେ ସମ୍ମାନିତ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀମତୀ କସ୍ତୁରୀ ମେହେର ରାଜ୍ୟର ୩୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି । ଯେଉଁମାନେ କୃଷିର ବିକାଶରେ ତଥା ରାଜ୍ୟର ଗ୍ରାମାଞ୍ଚଳର ଦୃଶ୍ୟପଟ୍ଟରେ ଅସାଧାରଣ ଅବଦାନ ରଖିଥିଲେ । ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାଶ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ମଜବୁତ କରିବା, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ନିରନ୍ତର ଜୀବିକା ନିର୍ବାହ, କୃଷି ଉତ୍ପାଦକ କମ୍ପାନୀଗୁଡିକୁ ପ୍ରୋତ୍ସାହିତ ଭଳି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି । ୪୦ ବର୍ଷର ଏହି ଯାତ୍ରାରେ ସେ ନାବାର୍ଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଗାମୀ ବର୍ଷରେ ଆହୁରି ଅନେକ ମାଇଲଖୁଣ୍ଟ ହାସଲ କରିବାକୁ ଆଶା କରିଛନ୍ତି ।

Leave A Reply

Your email address will not be published.