ଓଡିଶା କ୍ରିକେଟ ସଂଘ ପକ୍ଷରୁ ଜିଲ୍ଲା କ୍ରିକେଟ ଏକାଡେମୀର ଭିତ୍ତି ପ୍ରସ୍ତର ସ୍ଥାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଓଡିଶା କ୍ରିକେଟ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାର କ୍ରୀଡା ଭିତ୍ତି ଭୂମିର ବିକାଶ ପରିପ୍ରେକ୍ଷୀରେ ଗାନ୍ଧୀଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଏକାଡେମୀର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ବଲାଙ୍ଗିର କ୍ରୀଡା ସଂସଦ ପକ୍ଷରୁ ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ କ୍ରିକେଟ ଏକାଡେମୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ସହ ଆର୍ନ୍ତଜାତୀୟ ମହିଳା କ୍ରିକେଟ ଖେଳାଳି ମାଧୁରୀ ମେହେଟ୍ଟା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱ ତଥା ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବାରବାଟି ଷ୍ଟାଡିୟମରୁ ଭର୍‌ଚ୍ୟୁଆଲ ମାଧ୍ୟମରେ ସାରା ରାଜ୍ୟରେ ୧୫ଗୋଟି ଜିଳ୍ଲାରେ କ୍ରିକେଟ ଏକାଡେମୀର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ବିଭାଗୀୟ ସଚିବ ବିଶାଳ ଦେବ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ଓଡିଶାବାସୀ ଓ କ୍ରିକେଟ ପ୍ରେମୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ । ସେହିପରି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରା, ପୁର୍ବତନ ସମ୍ପାଦକ ଆଶିର୍ବାଦ ବେହେରା, ଓଡିଶା କ୍ରିକେଟ ମୁଖ୍ୟ କୋଚ୍‌ ୱାସିମ ଜାଫର ଓ ପୂର୍ବତନ କ୍ରିକେଟ ଖେଳାଳି ପ୍ରଜ୍ଞାନ ଓଝା ମଧ୍ୟ ଭର୍‌ଚ୍ୟୁଆଲ ମାଧ୍ୟମରେ ଯୋଗଦେଇ ଶୁଭ ମନାସୀ ଥିଲେ । ପରେ ପରେ ବଲାଙ୍ଗିରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଜିଲ୍ଲା କ୍ରିକେଟ ଏକାଡେମୀ ଭିତ୍ତି ପ୍ରସ୍ତର ଦିଆଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ଓଡିଶା କ୍ରୀଡାସଂଘ ତଥା ସରକାର ଙ୍କ କ୍ରୀଡା ଭିତ୍ତି ଭୂମିର ବିକାଶ ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରସଂଶା କରିବା ସହ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଅଂଚଳରେ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡାସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଅନ୍ୟତମ ଯୁଗ୍ମ ସମ୍ପାଦକ ଶତୃଘ୍ନ ସିଂ, ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ବଢେ଼ଇ, ଶାରିରୀକ ଶିକ୍ଷାନିରୀକ୍ଷକ ଜ୍ୟୋତିପ୍ରସାଦ ପରିଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସମ୍ପାଦକ ଓମ୍‌ ପ୍ରକାଶ ଚାନ୍ଦ, କ୍ରୀଡାସମ୍ପାଦକ ବିଭୁତି ପଣ୍ଡା, ଭଲିବଲ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଫୁଟ୍‌ବଲ ସମ୍ପାଦକ ହେମନ୍ତ ବେହେରା, ଗ୍ରାମ୍ୟ କ୍ରୀଡାସମ୍ପାଦକ ସଂଗ୍ରାମ ବହିଦାର, ବରିଷ୍ଠ ସଭ୍ୟ ସାନ୍ତନୁ ସାହୁ, ରମେଶ ପୁରୋହିତ, ଜୟରାମ ମିଶ୍ର, ଦ୍ୱାରିକା ପଣ୍ଡା, ରାଜେନ୍ଦ୍ର ପୁରୋହିତ, ବିଜୟ ବଂସଲ, ସୁଧିର ଚନ୍ଦ୍ର ପଣ୍ଡା, ଡ. ସିଦେ୍ଧଶ୍ୱର ମିଶ୍ର, ରମାକାନ୍ତ ସେଠ୍‌, କସ୍ତୁରୀ ରଥ, ସୂର୍ଯ୍ୟ ମିଶ୍ର, ଅରୁଣ ନାଏକ, ଅନୁପ ସାହୁ, ଗୌର ପ୍ରଧାନ, ରବିନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତଥିଲେ ।

Leave A Reply

Your email address will not be published.