ଶିବତଲା ପଂଚାୟତ ହାଇସ୍କୁଲ ପରିଦର୍ଶନ କଲେ ନରସିଂହ : ଛାତ୍ରୀଙ୍କ ୬ଗୋଟି ଟୟଲେଟ୍‌ ପାଇଁ ନିଜ ପାଣ୍ଠିରୁ ଦେଲେ ଅନୁଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ଘ.୧୧ ସମୟରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ପଂଚାୟତ ହାଇସ୍କୁଲକୁ ପରିଦର୍ଶନ କରିଛନ୍ତି । ସ୍କୁଲରେ ପହଂଚି ପ୍ରଥମେ ସେ ପୂର୍ବରୁ ସରକାରଙ୍କ ପାଖକୁ ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ପଠାଯାଇଥିବା ବିଭିନ୍ନ ପ୍ରସ୍ତାବ ଉପରେ କଣ କଣ ସବୁ କାମ ହୋଇପାରିଛି ସେ ଉପରେ ସେ ପଚାରି ବୁଝିଥିଲେ । ଯାହା କିଛି ଭିତ୍ତିଭୂମି ନିର୍ମାଣ ଚାଲିଛି ଭବିଷ୍ୟତରେ ଆଖି ଆଗରେ ରଖି ସେ ସବୁ ଯୋଜନା ଭିତ୍ତିରେ ନିର୍ମାଣ କରିବା ପାଇଁ ଉପଦେଶ ଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲରେ ଥିବା ବିଭିନ୍ନ ସମସ୍ୟା ଯଥା ଶ୍ରେଣୀ ଗୃହର ଅଭାବ, ଶିକ୍ଷକ କର୍ମଚାରୀର ଅଭାବ, କ୍ରିଡା ଭିତ୍ତିଭୂମି ଏବଂ ଝିଅମାନଙ୍କ ପାଇଁ ଟୟଲେଟ୍‌ ସମସ୍ୟା ଉପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ସ୍କୁଲର ହଷ୍ଟେଲରେ ଛାତ୍ରୀମାନଙ୍କ ସଂଖ୍ୟା ତୁଳନାରେ ଟୟଲେଟ୍‌ ସଂଖ୍ୟା ବହୁତ କମ୍‌ ଅଛି, ତେଣୁ ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ୬ଟି ଟୟଲେଟ୍‌ ପାଇଁ ୩ଲକ୍ଷ ଟଙ୍କାର ଅନୁଦାନ ରାଶି ଦିଆଯିବାର ଘୋଷଣା କରିଥିଲେ । ଆଲୋଚନା ସମୟରେ ସ୍କୁଲ ପାଠ୍ୟକ୍ରମରେ ସମୟକ୍ରମେ ହେଉଥିବା ବିଭିନ୍ନ ପ୍ରକାର ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ହାଇସ୍କୁଲରେ ତୃତୀୟ ଭାଷା ହିସାବରେ କିଛି କର୍ମଭିତ୍ତିକ ଶିକ୍ଷାକୁ ମଧ୍ୟ ପାଠ୍ୟକ୍ରମରେ ସାମିଲ କରିବା ସହ ଶିକ୍ଷକ ନିଯୁକ୍ତି ମଧ୍ୟ କରାଯାଇଛି ବୋଲି ଉପସ୍ଥିତ ଥିବା ବିଇଓ ରାଘବ ପାଣିଗ୍ରାହୀ ସୂଚନା ଦେଇଥିଲେ । ଆଗାମୀ ଦିନରେ ପରିବେଶ ସନ୍ତୁଳନ ଦିଗରେ ଶିକ୍ଷା ବିଭାଗ କିଛି ଠୋସ ପଦକ୍ଷେପ ନେବାର ସୂଚନା ଅଛି । ଯେପରି କି ୧୯୯୦ରୁ ୯୫ ମସିହା ଭିତରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସେ ସମୟର ଆଇନମନ୍ତ୍ରୀ ଓ ବର୍ତ୍ତମାନର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍କୁଲ ପାଠ୍ୟ ଖସଡାରେ ବୃକ୍ଷରୋପଣ ଓ ତାର ଯତ୍ନ ଦାୟିତ୍ୱ ଛାତ୍ର ଛାତ୍ରୀମାନଙ୍କୁ ଦିଆଯାଇ ସେ ଉପରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମାର୍କ ତାଙ୍କ ବାର୍ଷିକ ପରୀକ୍ଷାରେ ଯୋଡିବା ପାଇଁ ପ୍ରସ୍ତାବ ଦେଇଥିଲେ । ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏହି ପ୍ରସ୍ତାବ ଉପରେ ସହମତି ଥିବା ସତ୍ତେ୍ୱ ସରକାର ବଦଳି ଯାଇଥିବାରୁ ଏହି ପ୍ରସ୍ତାବଟି ଫାଇଲ ଭିତରେ ଦବି ଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ରସ୍ତାବ ଉପରେ ବର୍ତ୍ତମାନର ସରକାର କିଛି ସକରାତ୍ମକ ମନୋବୃତ୍ତି ଥିବା ସୂଚନା ଆସୁଛି । ତେଣୁ ଏହି ବିଷୟଟି ପାଠ୍ୟ ଖସଡାରେ ରହିଲେ ପରିବେଶ ସନ୍ତୁଳନ ତଥା ଜଙ୍ଗଲ ସୃଷ୍ଟି ଉପରେ ଏକ ବଡ ପଦକ୍ଷେପ ହେବ ବୋଲି ଶ୍ରୀ ମିଶ୍ର ଉପସ୍ଥିତ କର୍ମଚାରୀମାନଙ୍କୁ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କେଶବ ଚନ୍ଦ୍ର ମେହେର, ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ବାବୁ, ସରପଞ୍ଚ ବାଳକୃଷ୍ଣ ବେହେରା, ଗୋପ ମେହେର, ସରୋଜ ରଥ, କଲାକାହ୍ନୁ ବେହେରା, ରାମ ବେହେରା, ଜଗନ୍ନାଥ ସାହୁ, ଗୋପି ଦନ୍ତା, ରାଜକୁମାର ମେହେର ଏବଂ ମୋ ସ୍କୁଲ ଯୋଜନାର ପୁରାତନ ଛାତ୍ର ସଂଘ ସଭାପତି ସାନ୍ତନୁ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.