ଦେଓଗାଁ ବ୍ଲକରେ ବର୍ଷା ଅଭାବରୁ ଧାନ ପହ୍ଲାର ବଦଳୁଛି ରଙ୍ଗ, ଜୁଲାଇ ୧୭ ଯାଏ ଗତବର୍ଷର ଅଧା ବି ବର୍ଷା ହୋଇନି ଏ ବର୍ଷ : ଚିନ୍ତାରେ ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ପହ୍ଲା ପକାଇବା ୨୦ରୁ ୨୫ଦିନ ମଧ୍ୟରେ ରୋପଣ କଲେ ଠିକ୍‌ ଭାବେ ଗଜା ମାରିଥାଏ। ଠିକ ସମୟରେ ପହ୍ଲା ପାକାଯାଇଥିବା ବେଳେ ବର୍ଷାର ଅଭାବରୁ ରୋପଣ କାମ ଆଗେଇ ପାରୁନାହିଁ । ଯାହାଫଳରେ ପହ୍ଲା ଘାରିରେ ପହ୍ଲା ପଡ଼ିରହିଛି । ଏବେ ପହ୍ଲା ବୁଢ଼ା ହେବାକୁ ବସିଲାଣି । ଏପରି କି ସବୁଜ ରଙ୍ଗର ପହ୍ଲା ଲାଲ ରଙ୍ଗ ହେଉଥିବା ଦେଖିବାକୁ ମିଳିଛି ଦେଓଗାଁ ବ୍ଳକର ବିଭିନ୍ନ ଚାଷୀଙ୍କ ଜମିରେ ।

ସୂଚନା ଯୋଗ୍ୟ ଯେ, ଗତ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀର ପ୍ରାରମ୍ଭିକ ବର୍ଷରେ ଚାଷୀମାନେ ଧାନ ଚାଷ ପ୍ରସ୍ତୁତି ଆରମ୍ଭ କରିଥିଲେ । କିଛି ଚାଷୀ ବୁଣି ଦେଇଥିବା ବେଳେ ପହ୍ଲାଘାରି ନିକଟରେ ପହ୍ଲା ପକାଇବାର ସୁବିଧା ଥିବାରୁ ବହୁ ଚାଷୀ ପହ୍ଲା ପକାଇ ଦେଇଥିଲେ । ସେହି ସମୟରେ ପକାଯାଇଥିବା ପହ୍ଲା ବର୍ତ୍ତମାନ ମାସେ ପାଖାପାଖି ହୋଇଯାଇଛି । ଯଦି ଜୁଲାଇ ପ୍ରଥମ ସପ୍ତାହରେ ବଡ଼ ଧରଣର ବର୍ଷା ହୋଇଥିଲେ, ରୋପଣ କରିବା ପାଇଁ ଅଧିକ ସୁବିଧା ହୋଇଥାନ୍ତା । ବର୍ତ୍ତମାନ ବର୍ଷା ଅଭାବରୁ ଧାନ ଚାଷ ଆଗେଇ ପାରୁନାହିଁ । ଅନ୍ୟପକ୍ଷରେ ପହ୍ଲା ବୁଢ଼ା ହୋଇଥିବାରୁ ଆଉ ଥରେ ପହ୍ଲା ପକାଇବା ସମ୍ଭବ ନୁହେଁ । ଗତ ବର୍ଷ ହୋଇଥିବା ବର୍ଷାକୁ ଚାଷୀ ଆକଳନ କରି ଚାଷ ଆରମ୍ଭ କରାଯାଇଥିଲା । ଗତ ବର୍ଷ ଜୁନ ମାସରେ ୩୩୩.୬୦ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ ମାସରେ ୧୫୯.୪୦ ମିମି ବର୍ଷ ହୋଇଥିଲା । ଗତ ବର୍ଷ ଜୁଲାଇ ମାସରେ ୨୩୯.୨୦ ମିମି ବର୍ଷା ହୋଇଥିବା ବେଳେ ପୂର୍ବ ମାସ ଅର୍ଥାତ ଜୁନ ୨୦ରେ ୩୩୩.୬୦ ମିମି ବର୍ଷା ହୋଇଥିବାରୁ ଚାଷ କାମ ତୁରନ୍ତ ଆଗେଇ ଯାଇଥିଲା । ସେହିପରି ଗତ ବର୍ଷ ଜୁଲାଇ ୧୭ଦିନ ମଧ୍ୟରେ ୨୦୫.୪ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୭ ତାରିଖ ସୁଦ୍ଧା ମାତ୍ର ୧୦୦.୮୦ ମିମି ବର୍ଷ ହୋଇଥିବା ରେକର୍ଡ଼ କହୁଛି । ଚଳିତ ବର୍ଷ ଯଦିଓ ଚାଷୀମାନେ ଧାନ ବିହନ ସଂଗ୍ରହ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହିଁ । ସେହିପରି ଠିକ ସମୟରେ ବର୍ଷା ଓ ସାର ମିଳିଲେ ଚାଷ ଠିକ ଚାଲିବ ବୋଲି ଆଶା କରିଥିବା ବେଳେ ବର୍ଷା ଅଭାବରୁ ଚାଷ ମରୁଡ଼ି ଆଡ଼କୁ ମୁହାଁଉଛି ବୋଲି ଚାଷୀ ଚିନ୍ତାରେ ।

Leave A Reply

Your email address will not be published.