କିନ୍ନରମାନଙ୍କ ସସମ୍ମାନେ ବଞ୍ଚିବାର ଅଧିକାର ରହିଛି : ନରସିଂହ

  • ଜୁହାର ପରିବାର ପକ୍ଷରୁ କିନ୍ନରଙ୍କୁ ସାହାୟତା ପ୍ରଦାନ
  • ଚାକିରିରୁ ବାହାର କରାଯାଇଥିବା ନେଇ ଅଭିଯୋଗ କଲେ କିନ୍ନର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ କିନ୍ନରମାନଙ୍କୁ ମଧ୍ୟ ସସମ୍ମାନେ ବଞ୍ଚିବାର ଅଧିକାର ଦେଇଛି । ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ କିନ୍ନରମାନେ ତାଙ୍କ ଅଧିକାର ପାଇବାରୁ ବଞ୍ଚିତ ରହୁଛନ୍ତି । ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ସମ୍ବାଦିକ ଭବନ ଠାରେ ବାଙ୍ଗାଲୋରର ଜୁହାର ପରିବାର ତରଫରୁ ଆୟୋଜିତ କିନ୍ନର ସହାୟତା କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି । କୋଭିଡ ସମୟରେ ବାଙ୍ଗଲୋରର ଜୁହାର ପରିବାର ତରଫରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ମହାମାରୀ ସମୟରେ କିନ୍ନରମାନେ ନିଜର ଜୀବନ ଜୀବିକା ହରାଇ ଅତି ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି । କିନ୍ନରମାନଙ୍କୁ କିଛି ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜି ଜୁହାର ପରିବାର ପକ୍ଷରୁ ବଲାଙ୍ଗିର ସହରର ପ୍ରାୟ ୪୦ଜଣ କିନ୍ନରଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଂଟନ କରାଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କିନ୍ନରମାନଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ । ଏହି ଅବସରରେ କିନ୍ନରମାନେ ସେମାନଙ୍କ ବିଭିନ୍ନ ସମସ୍ୟା ଜଣାଇବା ସହ ବଲାଙ୍ଗିର ପୌରପାଳିକାରେ ଚାକିରି ପାଇଥିବା କିନ୍ନରମାନଙ୍କୁ ଚାକିରିରୁ ବାହାର କରିଦେଇଥିବା ନେଇ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ସରକାରୀ ଯୋଜନା ମୁତାବକ ୧୦ ଜଣ କିନ୍ନରଙ୍କୁ ଦିନ ମଜୁରିଆ ଭାବେ ପ୍ରତିଦିନ ୩ ଶହ ଟଙ୍କା ଦରରେ ସଫେଇ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ତାଙ୍କୁ ମାସିକ ୯ ହଜାର ଟଙ୍କା ପରିବର୍ତ୍ତେ କେବଳ ୫ ହଜାର ଟଙ୍କାରେ କାମ କରିବାକୁ ପୌରପାଳିକା ତରଫରୁ କୁହାଯାଇଥିଲା । ଏଥିରେ କିନ୍ନରମାନେ ଅରାଜି ହେବା ଯୋଗୁଁ ପୌରପାଳିକା କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇବା ସହ ସଫେଇ ଗାଡିର ଅଭାବ ଦେଖାଇ ଏବେ ସମସ୍ତ ଦଶ ଜଣଙ୍କୁ ଚାକିରିରୁ ବାହର କରି ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ନୂତନ ଗାଡି ଆସିଲେ ସେମାନଙ୍କୁ ପୁଣି ନିୟୋଜିତ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଥିବା କିନ୍ନରମାନେ ଅଭିଯୋଗ କରିଥିଲେ । ସରକାର ରାଜ୍ୟବାରସୀଙ୍କ ସମ୍ମୁଖରେ ଗୋଲାପୀ ଚିତ୍ର ପ୍ରଦର୍ଶନ କରୁଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ସରକାରଙ୍କ ନିଜସ୍ୱ ପ୍ରଣିତ ଯୋଜନାର ଅସଲ ଚିତ୍ରର ଅବସ୍ଥା ଏଭଳି ରହିଛି । ତେବେ କିନ୍ନରମାନଙ୍କ ସାମ୍ବିଧାନିକ ଅଧିକାରର ପୁର୍ତ୍ତି ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଶ୍ରୀ ମିଶ୍ର କିନ୍ନରମାନଙ୍କୁ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜୁହାର ପରିବାରର ସହପ୍ରତିଷ୍ଠାତା ସତ୍ୟଜିତ ନାୟକ, ଉପସଭାପତି ପ୍ରିୟା ନାୟକ, ସିଞ୍ଚନ ମିଶ୍ର, ଆନନ୍ଦ ମିଶ୍ର, ଆର୍ଯ୍ୟଭୀର ନାୟକ ସହିତ କିନ୍ନର ସଂଗଠନ ସଭାପତି ହିମାଂଶୁ ଯୋଷୀ ପ୍ରମୁଖଙ୍କ ସହ ବହୁ କିନ୍ନର ଉପସ୍ଥିତ ଥିଲେ ।

Leave A Reply

Your email address will not be published.